ଗାନ୍ଧୀନଗର: ଗୁଜରାଟ ସରକାର ଦୀପାବଳି ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି । ରାଜ୍ୟ ସରକାର ସୋମବାର ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନଙ୍କୁ ଦୁଇ ସିଲିଣ୍ଡର ମାଗଣା ଦେବାକୁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ସରକାର ସିଏନ୍ଜି ଗାଡ଼ି ମାଲିକଙ୍କୁ ମଧ୍ୟ ଖୁସି କରିଛନ୍ତି । ସରକାର ସିଏନ୍ଜି ଏବଂ ପିଏନ୍ଜି ଉପରେ ୧୦ ପ୍ରତିଶତ ଭାଟ୍ ହ୍ରାସ କରିଛନ୍ତି । ଏବେ ସିଏନ୍ଜି ଉପରେ ଭାଟ୍ ହ୍ରାସ ଦ୍ୱାରା ଉପଭୋକ୍ତାମାନଙ୍କୁ ପ୍ରତି କିଲୋ ପିଛା ୬ରୁ ୭ ଟଙ୍କା ଫାଇଦା ମିଳିବ । ସେହିପରି ପିଏନ୍ଜିରେ ଉପଭୋକ୍ତାମାନଙ୍କୁ ପ୍ରତି କିଲୋ ପିଛା ୫ରୁ ୬ ଟଙ୍କା ଫାଇଦା ହେବ । ତେବେ ସିଏନ୍ଜି ଏବଂ ପିଏନ୍ଜିରେ ରିହାତି ଦେଇ ସରକାରଙ୍କ ଉପରେ ୩୦୦ କୋଟିର ବୋଝ ପଡ଼ିବ ।
ଏଥିସହ ଏଲ୍ପିଜିରେ ଛାଡ୍ ଦ୍ୱାରା ବି ମୋଟ ୧୬୫୦ କୋଟିର ବୋଝ ପଡ଼ିବ । ସରକାରଙ୍କ ଏହି ଘୋଷଣାରୁ ୩୫ ଲକ୍ଷ ଏଲ୍ପିଜି ଗ୍ରାହକଙ୍କୁ ଫାଇଦା ମିଳି ପାରିବ । ଗୃହିଣୀ ଏବଂ ଗାଡ଼ି ଚାଳକମାନେ ସିଧାସଳଖ ଏହାର ଫାଇଦା ପାଇ ପାରିବେ । କହି ରଖୁଛୁ, ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା କରି ଦେଇଥିବା ବେଳେ କୌଣସି ବି ମୁହୂର୍ତ୍ତରେ ଗୁଜରାଟ ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ସେପଟେ ଦୀପାବଳି ପୂର୍ବରୁ ସାରା ଦେଶର ୧୧ କୋଟିରୁ ଅଧିକ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିସାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତି ପଇସା ଜାରି କରିଛନ୍ତି । ଏହି ଯୋଜନା ଅଧୀନରେ ଚାଷୀଙ୍କ ଆକାଉଣ୍ଟରେ ଦ୍ୱାଦଶ କିସ୍ତିର ୨୦୦୦ ଟଙ୍କା ଜମା କରାଯାଇଛି । ଯଦି ଆପଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଜଣେ ଲାଭାର୍ଥୀ, ତା’ ହେଲେ ନିଜ ଆକାଉଣ୍ଟ ଚେକ୍ କରି ପାରିବେ । ଆପଣ ନିଜ ଆକାଉଣ୍ଟକୁ ଅନଲାଇନ୍ ଯାଞ୍ଚ କରି ପଇସା ଆସିଛି କି ନାହିଁ, ତାହା ଯାଞ୍ଚ କରି ପାରିବେ ।