ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୩୯ଜଣ ଓଏଏସ୍ ଅଧିକାରୀ(ଜୁନିୟର ବ୍ରାଂଚ)ଙ୍କୁ ବଦଳି କରାଯାଇଛି ଓ ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରୁ ୬୨ ଜଣ ତହସିଲଦାରଙ୍କୁ ବଦଳି କରାଯାଇଥିବାବେଳେ ୩୦ କନିଷ୍ଠ ଓଏଏସ୍ ତଥା ଡେପୁଟି କଲେକ୍ଟରଙ୍କୁ ବଦଳି କରାଯାଇଛି । ସେହିପରି ପ୍ରାୟ ୧୦ ଜଣ ବିଡିଓ ବି ବଦଳି ତାଲିକାରେ ଅଛନ୍ତି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୩୯ଜଣ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇ ସେମାନଙ୍କୁ ତୁରନ୍ତ ନିଜ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଫିସରମାନଙ୍କୁ ୧୪ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବା ପାଇଁ କୁହାଯାଇଥିବାବେଳେ ଏଥିରେ ଅଧିକାଂଶ ବିଡିଓ ଓ ତହସିଲଦାର ଅଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଓ କୋଷ୍ଟାଲ ହାଇୱେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୩ଜଣ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ତଥା ଓଏଏସ୍ ଚିତ୍ତରଞ୍ଜନ ପିଲାଇଙ୍କୁ ଡେପୁଟି ଜିଲ୍ଲାପାଳ ଭାବେ ଜଗତସିଂହପୁର ବଦଳି କରାଯାଇଛି । ସେହିପରି କୃଷ୍ଣପ୍ରସାଦର ଅତିରିକ୍ତ ତହସିଲଦାର ଶଶୀଭୂଷଣ ମିଶ୍ରଙ୍କୁ ଡେପୁଟି ଜିଲ୍ଲାପାଳ ଓ ଖଲ୍ଲିକୋଟ ସବରେଜିଷ୍ଟ୍ରାର ମହେଶ୍ୱର ବେହେରାଙ୍କୁ ଡେପୁଟି ଜିଲ୍ଲାପାଳ ଭାବେ ଜଗତସିଂହପୁର ବଦଳି ହୋଇଥିବା ଜଣାପଡ଼ିଛି ।