ତୁମୁଡିବନ୍ଧ: କନ୍ଧମାଳ ଜିଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଏକ ସେବାଶ୍ରମରେ ସପ୍ତମ ଶ୍ରେଣୀ ପଢୁଥିବା ଜନୈକ ଛାତ୍ରୀ ଗର୍ଭବତୀ ହେବାପରେ ମୃତ ଶିଶୁ ଜନ୍ମ ଦେବା ଏବଂ ପରେ ମୃତ୍ୟୁବରଣ କରିବା ଘଟଣା ରାଜନୈତିକ ରୂପ ନେଉଛି। ରବିବାର ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆଵାସିକ ବିଦ୍ୟାଳୟ ଗସ୍ତ କରି ତଥ୍ୟ ଅନୁସନ୍ଧାନ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପିଡିତାଙ୍କ ପରିବାର ତଥା ସ୍ଥାନୀୟ ପୋଲିସକୁ ଭେଟି ଥିଲା। ପରେ କନ୍ଧମାଳ ଜିଲାପାଳଙ୍କୁ ଭେଟି ଘଟଣା ପାଇଁ ଦାୟୀ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଜେପି ନେତା।।ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି।
ଏକ ସମ୍ବେଦନଶୀଳ ଘଟଣାକୁ ବିଜେପି ଜାଣିଶୁଣି ରାଜନୈତିକ ରୂପ ଦେବା ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ ସାହ। ଗତ ପଞ୍ଚାୟତ ନିର୍ବାଚନରେ ତୂମୁଡିବନ୍ଧ ବ୍ଲକରେ ବିଜୁ ଜନତା ଦଳ ବିପୁଳ ଭୋଟରେ ଜିଲା ପରିଷଦ ଆସନ ଜିତିବା କାରଣରୁ ବିଜେପି ଭୋକ ବିକଳରେ ତାଟିଆ କାମୁଡିବା ସଦୃଶ କାର୍ଯ୍ୟ କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି ।
ଯୋଜନା ବଦ୍ଧ ଭାବରେ ସରକାରୀ ଦଳକୁ ବଦନାମ କରିବା ପାଇଁ ବିଜେପିର ଏହା ହୀନ ପ୍ରୟାସ ବୋଲି ଦଳୀୟ ନେତା ମାନେ କହିଛନ୍ତି। ନାବାଳିକା ଗର୍ଭବତୀ ମାମଲାରେ ଦୋଷୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି ଏବଂ ପ୍ରଶାସନ ମଧ୍ୟ ନିରପେକ୍ଷ ତଦନ୍ତ ଜାରୀ ରଖିଛି । ତେଣୁ ଘଟଣାକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ବୋଲି ବିଜେଡି କହିଛି । ଅପରପକ୍ଷରେ, ଏହି ଘଟଣାର ଅଧିକ ତଦନ ଜାରି ରହିଛି ଏବଂ ଆଉ କିଛି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା।