33.1 C
Bhubaneswar
Saturday, October 5, 2024
Homeଓଡିଶାଧାମନଗର ଉପନିର୍ବାଚନ: ପ୍ରଶିକ୍ଷଣ ଆରମ୍ଭ, ବଦଳିଲା ୧୩୪ ବୁଥ୍‌ର ନାମ

ଧାମନଗର ଉପନିର୍ବାଚନ: ପ୍ରଶିକ୍ଷଣ ଆରମ୍ଭ, ବଦଳିଲା ୧୩୪ ବୁଥ୍‌ର ନାମ

ଭଦ୍ରକ: ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ନିଯୁକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଏବଂ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ  ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡ଼ୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ପୌର ଓ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ଅନ୍ୟ ଓଏଏସ୍ ଅଧିକାରୀ, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ନିର୍ବାଚନ କାର୍ଯ୍ୟ ନେଇ ଦାୟିତ୍ୱରେ ଥିବା ବିଭିନ୍ନ ନୋଡାଲ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।

ପୂର୍ବାହ୍ନ ଅଧିବେଶନରେ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ପ୍ରାଥମିକ ତଦନ୍ତ କାର୍ଯ୍ୟଠାରୁ କମିଶନିଂ, ଷ୍ଟ୍ରଙ୍ଗରୁମ୍‌ରେ ଗଚ୍ଛିତ ରଖିବା, ବିତରଣ କେନ୍ଦ୍ରରେ ପୋଲିଂ ଦଳଙ୍କୁ ପ୍ରଦାନ କରାଯିବା ଏବଂ ମତଦାନ କେନ୍ଦ୍ରରେ ମକ୍‌ପୋଲ ଓ ପ୍ରକୃତ ମତଦାନ ପ୍ରକ୍ରିୟା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା । ପୋଲିଂ ଦଳ ମତଦାନ କାର୍ଯ୍ୟ ପରିଚାଳନା ଏବଂ ପ୍ରଥମ କରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରଚଳିତ ହୋଇଥିବା ଡାକଭୋଟ୍ ଗ୍ରହଣ ପ୍ରକ୍ରିୟା ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଅପରାହ୍ନ ଅଧିବେଶନରେ ଭୋଟ ଗଣନା, ଫଳାଫଳ ଘୋଷଣା, ପ୍ରକ୍ରିୟା ସହିତ ଇଭିଏମ୍‌, ଭିଭିପାଟ ବ୍ୟବହାର କୌଶଳ ପ୍ରଦାନ କରାଯାଇଥିଲା ।

ଉପନିର୍ବାଚନ ପାଇଁ ଥିବା ସମୁଦାୟ ୨୫୨ଟି ବୁଥ୍‌ରୁ ୧୩୪ଟିର ନାମ ପରିବର୍ତ୍ତନ କରାଯାଇଛି ।  ସୂଚନାଯୋଗ୍ୟ କି ସ୍କୁଲ ମିଶ୍ରଣ ଓ କେତେକ ସ୍କୁଲର ଉନ୍ନତୀକରଣ ଯୋଗୁଁ ସେଗୁଡ଼ିକର ନାମ ପରିବର୍ତ୍ତିତ ହୋଇଛି । ଏନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ତେଣେ କାଳେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ହେବ, ସେନେଇ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର । ଯିଏ ଚାହିଁବ ଅଭିଯୋଗ କରିପାରିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲିଛି କଣ୍ଟ୍ରୋଲ ରୁମ୍ । ଉପନିର୍ବାଚନ ପାଇଁ କୌଣସି ସମସ୍ୟା ଥିଲେ କଣ୍ଟ୍ରୋଲ୍ ରୁମ୍‌କୁ ଅଭିଯୋଗକାରୀ ଟୋଲ୍ ଫ୍ରି ନମ୍ବର୍ ୧୯୫୦ ଜରିଆରେ ଜଣାଇପାରିବେ । ଅଭିଯୋଗକାରୀ ବି ୮୪୮୦୯୪୬୮୨୩ ମୋବାଇଲ୍ ନମ୍ବର ଜରିଆରେ ବି ଜଣାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking