ଭୋଗରାଇ – ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ବଧୂ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଅଧିକ ଯୌତୁକ ଦାବି କରି ଜଣେ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ , ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିବା ନେଇ ପୀଡ଼ିତା ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି।
ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ବାପଘର ଗରିବ ହୋଇଥିବାରୁ ମୁଣ୍ଡପାତି ସବୁ ସହି ଯାଉଥିଲେ ପୀଡ଼ିତା। ସହିବାର ସମସ୍ତ ସୀମା ଟପି ଗଲା ପରେ ଏବେ ସେ ମୁହଁ ଖୋଲିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଭୋଗରାଇ ଥାନା ପୁଲିସ କେସ ନଂ ୧୭୧/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ମୁତାବିକ, ଭୋଗରାଇ ଥାନା ଅନ୍ତର୍ଗତ ଗୋଛିଦା ତେଘରି ଗ୍ରାମର ଦେବେନ୍ଦ୍ର ପରିଡ଼ାଙ୍କ ପୁଅ ମୁନା ପରିଡ଼ା (୨୭) ସାତ ବର୍ଷ ପୂର୍ବେ ତାଳସାରି ସାମୁଦ୍ରିକ ଥାନା ଅନ୍ତର୍ଗତ ସାହାବାଜିପୁର ଗାଁର ନାରାୟଣ ପ୍ରଧାନଙ୍କ ବଡ଼ଝିଅ ମାଳତୀ ପରିଡ଼ା (୨୫)ଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟ ପରିବାରର ସହମତିରେ ଚନ୍ଦନେଶ୍ୱର ମନ୍ଦିରରେ ବୈଦିକ ରୀତିରେ ତାଙ୍କର ବିବାହ ହୋଇଥିଲା। ବିବାହ ସମୟରେ କନ୍ୟା ପକ୍ଷରୁ ବର ପକ୍ଷର ଦାବି ମୁତାବକ ସମସ୍ତ ଆସବାବପତ୍ର, ସୁନା ରୁପା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଦିଆ ଯାଇଥିଲା। ବିବାହର ବର୍ଷକ ପରେ ସ୍ୱାମୀ ମୁନା ଅଧିକ ଯୌତୁକ ଦାବି କରି ମାଳତୀଙ୍କୁ ଅକଥନୀୟ ଭାଷାରେ ଗାଳି ଗୁଲଜ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ତଡ଼ି ଦେବାକୁ ଉଦ୍ୟମ କରି ଆସୁଥିଲେ।
ସେପଟେ ମାଳତୀଙ୍କ ବାପା ଜଣେ ଗରିବ ରିକ୍ସା ଚାଳକ ହୋଇଥିବାରୁ ଅଧିକ ଯୌତୁକ ଦେଇ ନ ପାରି ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଜରିଆରେ ଝିଅ ଘରକୁ ଆସି ବାରମ୍ବାର ବୁଝାସୁଝା କରି ଝିଅକୁ ଶାଶୂ ଘରେ ଛାଡ଼ି ଦେଇ ଯାଇଥିଲେ। ଅଧିକ ଯୌତୁକ ନ ଆଣିବାରୁ ବାପା ଦେବେନ୍ଦ୍ର ପୁଅ ବୋହୂକୁ ଘରୁ ଅଲଗା କରି ଦେଇଥିଲେ। ଏହାପରେ ମୁନା ପ୍ରତ୍ୟେକ ଦିନ ନିଶାସକ୍ତ ହୋଇ ଘରକୁ ଫେରି ପତ୍ନୀ ମାଳତୀ ଉପରେ ଅକଥନୀୟ ଅତ୍ୟାଚାର କରି ଆସୁଥିଲେ ଏବଂ ଅନ୍ୟ ଜଣେ ମହିଳା ସହିତ ପରକୀୟା ପ୍ରୀତିରେ ପଡ଼ି ନିଜ ପତ୍ନୀକୁ ରାସ୍ତାର କଣ୍ଟା ଭାବି ରାସ୍ତାରୁ ହଟାଇ ଦେବାକୁ ମସୁଧା କରିଥିଲେ।
ଏହା ମଧ୍ୟରେ ମାଳତୀଙ୍କ ବାପା ପାଞ୍ଚ ଥର ଉଭୟ ଗ୍ରାମର ଭଦ୍ରବ୍ୟକ୍ତିଙ୍କୁ ନେଇ ବୁଝାସୁଝା କରିଥିଲେ ସୁଦ୍ଧା ଜ୍ୱାଇଁ ମୁନା କୌଣସି କଥା ମାନି ନ ଥିଲେଏବଂ ମାଳତୀଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବ ବୋଲି କହିଥିଲେ। ସେତେବେଳକୁ ମାଳତୀ ଏକ କନ୍ୟା ସନ୍ତାନର ମା ହୋଇ ସାରିଥିଲେ। ପରକୀୟା ପ୍ରୀତିରେ ମାତି ମୁନା ସ୍ତ୍ରୀ ପିଲାଙ୍କୁ ଖାଇବାକୁ ଦେଲେ ନାହିଁ। ଏପରିକି ନୃଶଂସ ଭାବରେ ମାଳତୀ ଉପରେ କିରୋସିନି ଢାଳି ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ବେଳେ ପଡୋଶୀ ମାନେ ଘରର ଝରକା ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ।
ବାପା ନାରାୟଣ ଝିଅ ଘରକୁ ଆସି ଜ୍ୱାଇଁକୁ ବୁଝାସୁଝା କରି ଝିଅକୁ ସେଠାରେ ଛାଡ଼ି ଯିବା ପରେ ରାତିରେ ମୁନା ପତ୍ନୀ ମାଳତୀ ମୁହଁରେ ତକିଆ ଚାପି ମାରି ଦେବାକୁ ଚେଷ୍ଟା କରିଥିଲେ। ମାଳତୀ କୌଣସି ପ୍ରକାରେ ଜୀବନ ବଞ୍ଚାଇ ଖସି ଯାଇ ନିକଟସ୍ଥ ଚନ୍ଦନେଶ୍ୱର ପୁଲିସ ଫାଣ୍ଡିରେ ଆଶ୍ରୟ ନେଇଥିଲେ। ମାତ୍ର ଗାଁର ଭଦ୍ରବ୍ୟକ୍ତି ମାନେ ମୁନାକୁ ବୁଝାଇ ଭଲରେ ସଂସାର କରିବାକୁ ପରାମର୍ଶ ଦେଇଥିବା ବେଳେ ମୁନା ନିଜ ପତ୍ନୀ ମାଳତୀକୁ ଭଲରେ ରଖିବ ବୋଲି ପ୍ରତିଶ୍ରୁତି ଦେଇ ପୁଲିସ ଫାଣ୍ଡିରୁ ନେଇ ଆସିଥିଲେ। ପରେ ଗତ ୭ ତାରିଖ ରାତିରେ ମାଳତୀକୁ ମାରିଦେବା ଉଦ୍ଦେଶ୍ୟରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମୁନା ଚେଙ୍କ ଦେଇଥିଲେ।
ଖବର ପାଇ ମାଳତୀର ବାପା ମାଆ ଝିଅକୁ ଉଦ୍ଧାର କରି ଶନିବାର ଚନ୍ଦନେଶ୍ୱର ପୁଲିସ ଫାଣ୍ଡିରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଭୋଗରାଇ ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ କରାଯାଇ ଥିଲା । ଥାନା ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଫାଣ୍ଡି ଅଧିକାରୀ ବିଶ୍ବନାଥ କର ରବିବାର ମୁନା ଘରକୁ ଯାଇ କନ୍ୟା ପକ୍ଷରୁ ଦିଆଯାଇଥିବା ଆସବାବପତ୍ର ଓ କେତେକ ସୁନା ଅଳଙ୍କାର ଜବତ କରି ମାଳତୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।