ବ୍ରହ୍ମପୁର: ବିଏସ୍ଏନଏଲ୍ ସିମ୍ର କେୱାଇସି ଅପ୍ଡ଼େଟ୍ ନାମରେ ବ୍ରହ୍ମପୁର ସହର ଉପକଣ୍ଠ କନିଷି ଗାୟତ୍ରୀ ନଗର ପ୍ରଥମ ଗଳିରେ ରହୁଥିବା ମନ୍ମଥ ରଣା ଓ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକମାନେ ପ୍ରାୟ ୧ ଲକ୍ଷ ୪୨ ହଜାର ୬ ଟଙ୍କା ଠକି ନେଇଛନ୍ତି । ଏନେଇ ସେ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ ଗତ ୭ ତାରିଖରେ କନିଷି ଅଞ୍ଚଳର ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା କନିଷି ଗାୟତ୍ରୀ ନଗର ପ୍ରଥମ ଗଳିରେ ରହୁଥିବା ମନ୍ମଥ ରଣାଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା । ଯଦି ୨୪ ଘଣ୍ଟା ମଧ୍ୟରେ ତାଙ୍କରି ବିଏସ୍ଏନଏଲ୍ ସିମର କେୱାଇସି ଅପ୍ଡ଼େଟ ନ କରନ୍ତି ତେବେ ଉକ୍ତ ସିମ୍ଟି ବନ୍ଦ ହୋଇଯିବ । ଅଧିକ ଜଣିବା ନିମନ୍ତେ ୭୮୫୭୦୮୦୯୫୬କୁ ଯୋଗାଯୋଗ କରିବାକୁ ଉକ୍ତ ମେସେଜରେ ଉଲ୍ଲେଖ ରହିଥିଲା । ମନ୍ମଥ ମୋବାଇଲ୍ ସିମ୍ ବ୍ଲକ ହୋଇଯିବା ଭୟରେ ମେସେଜ୍ ପାଇବା ପରେ ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ ।
ଉକ୍ତ ବ୍ୟକ୍ତି ଜଣକ ନିଜକୁ ବିଏସ୍ଏନ୍ଏଲ୍ ଟେଲିକମ୍ର ଜଣେ କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏନିଡେସ୍କ ନାମକ ଏକ ଆପ୍ଲିକେସନ୍ ଡାଉନ୍ଲୋଡ୍ କରିବାକୁ ମନ୍ମଥଙ୍କୁ ପରାମର୍ଶ ଦେଇଥିଲେ । ସାଇବର ଠକ କହିବା ମୁତାବକ ଅବସର ପ୍ରାପ୍ତ ଅଧ୍ୟାପକଙ୍କ ଉକ୍ତ ଲିଙ୍କକୁ କ୍ଲିକ୍ କରି ରଣା ଏନିଡେକ୍ସ ନାମକ ଏକ ଆପ୍ଲିକେସନକୁ ଇନ୍ଷ୍ଟଲ୍ କରିଥିଲେ । ପ୍ରଥମ ୧୦୨୯ ଟଙ୍କା ଫୋନ୍ ପେରେ ପଠାଇବା ପରେ ଉକ୍ତ ଟଙ୍କା ତୁରନ୍ତ ଫେରସ୍ତ ହେବ ବୋଲି ସାଇବର ଠକ ଜଣକ କହିଥିଲେ । ସେହି ଅନୁସାରେ ଉକ୍ତ ଟଙ୍କା ମନ୍ମଥଙ୍କ ଏକାଉଣ୍ଟକୁ ଫେରସ୍ତ ହୋଇଥିଲା । ଏହା ପରେ ସାଇବର ଠକ ଜଣଙ୍କ ପୁଣି ୪୨ ହଜାର ୧୫୨ ଟଙ୍କା ଫୋନ୍ ପେରେ ପଠାଇବାକୁ କହିଥିଲେ ।
ଏଥିରେ ବିଶ୍ୱାସ କରିବା ସହ ସାଇବର ଠକଙ୍କ କଥା ମାନି ସେ ଉକ୍ତ ଟଙ୍କା ପଠାଇ ଥିବା ବେଳେ ଟଙ୍କା ଆଉ ଫେରସ୍ତ ହୋଇନଥିଲା । ମନ୍ମଥ ସାଇବର ଠକଙ୍କୁ ପଚାରିବା ବେଳେ ସେ ତାଙ୍କ ନିର୍ଦ୍ଦେଶ ମାନିବାକୁ କହିଥିଲେ । ପୁଣି ମନ୍ମଥ ପୁଣି ତାଙ୍କ ସ୍ତ୍ରୀଙ୍କ ଏକାଉଣ୍ଟରୁ ୯୯ ହଜାର ୮୫୪ ଟଙ୍କା ପଠାଇଥିଲେ । ଏଭଳି ଭାବରେ ୨ଟି ଆକାଉଣ୍ଟରୁ ମନ୍ମଥ ମୋଟ ୧ ଲକ୍ଷ ୪୨ ହଜାର ୬ ଟଙ୍କା ଠକିଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଉକ୍ତ ଟଙ୍କା ନଫେରିବାରୁ ସନ୍ଦେହ କରି ସେ ଷ୍ଟେଟ୍ ବ୍ୟାଙ୍କ ସହ ଯୋଗା ଯୋଗ କରିଥିବାରୁ ସେ ସାଇବର ଠକଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।