34.1 C
Bhubaneswar
Monday, September 30, 2024
Homeଓଡିଶାସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର

ସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ସମସ୍ତଙ୍କୁ ନିଜ ସ୍ନେହର ଡୋରୀରେ ବାନ୍ଧି ରଖୁଥିବା ଚିକେନ୍ ମାଉସୀ ଆଜି ଚିର ନିଦ୍ରାରେ ଶୋଇଯାଇଛି । ତା’ ଉପସ୍ଥିତିକୁ ଆଜି ଝୁରି ହେଉଛନ୍ତି ସତ୍ୟବିହାର ଅଞ୍ଚଳର ବାସିନ୍ଦା ମାନେ । ମା’ କୁ ହରାଇ ବେସାହାରା ହୋଇ ଯାଇଥିବା ଛୋଟ ଛୋଟ ତିନି ସନ୍ତାନ ତା’ର ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲେ । ଚିକେନ୍ ମାଉସୀର ଶେଷକୃତ୍ୟ ସମ୍ପନ୍ନ କିପରି ହେବ ବୋଲି ଅଞ୍ଚଳବାସୀଙ୍କୁ ବୁଦ୍ଧି ଦିଶୁ ନଥିଲା । ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ଶେଷରେ ଚିକେନ୍ ମାଉସୀର ଶେଷକୃତ୍ୟ ସମ୍ପନ୍ନ ହେଲା ।

ଘଟଣାଟି ଘଟିଛି, ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳ ଅନ୍ତର୍ଗତ ୫ନଂ ୱାର୍ଡରେ । ଚିକେନ୍ ମାଉସୀ ନାଁ ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ଫୁଲବାଣୀ ଅଞ୍ଚଳର ଜଣେ ଏହି ୪୫ବର୍ଷିୟା ମହିଳାଙ୍କର ସ୍ଵାମୀ ଅଧା ବୟସରେ ତାଙ୍କୁ ଛାଡି ଆର ପାରିକୁ ଚାଲିଯାଇଥିଲେ । ପରିବାର କହିଲେ ତାଙ୍କର ଦୁଇ ଝିଅ ଓ ଗୋଟେ ପୁଅ । ସେମାନଙ୍କ ମୁହଁରେ ମୁଠେ ଖାଇବାକୁ ଦେବା ପାଇଁ ରୋଜଗାର ଆଶାରେ ଭୁବନେଶ୍ୱର ଆସିଥିଲେ । ସତ୍ୟବିହାର ଅଞ୍ଚଳର ୫ନଂ ୱାର୍ଡରେ ରହି ସେ ଚିକେନ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । ସେଠାକାର ସମସ୍ତ ଲୋକମାନଙ୍କୁ ନିଜ ସ୍ନେହର ବନ୍ଧନରେ ବାନ୍ଧି ରଖିଥିଲେ ଓ ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଚିକେନ୍ ମାଉସୀ ବୋଲି ଡ଼ାକୁଥିଲେ । ସାହି ଭାଇ ମାନଙ୍କ କହିବାନୁସାରେ କେହିବି ତାଙ୍କ ଦୋକାନକୁ ଗଲେ, ତାଙ୍କୁ ଚା’ ନ ପିଆଇ ଛାଡୁନଥିଲେ ।
ଦୁର୍ଭାଗ୍ୟକୁ, ହଠାତ୍ ସେ ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ ଓ ଗତ ସେପ୍ଟେମ୍ବର ୧୬ ତାରିଖରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗି ପଡିଥିଲେ ଓ ତାଙ୍କର ତିନିଜଣ ସନ୍ତାନ ମା’ର ଏହି ଅକସ୍ମାତ୍ ମୃତ୍ୟୁରେ ସ୍ତବ୍ଧ ହୋଇ ଯାଇଥିଲେ । ଅନ୍ତିମ ସଂସ୍କାର କିପରି ହେବ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ବୁଦ୍ଧି ଦିଶୁ ନଥିଲା ।
ଠିକ୍ ଏହି ସମୟରେ ସ୍ଵେଚ୍ଛାସେବୀ ଶ୍ରୀମତି କୃଷ୍ଣପ୍ରିୟା ମିଶ୍ର, ଭୁବନେଶ୍ୱରର ଉତ୍ତର ବିଧାୟକ ତଥା ଓଡ଼ିଶା ମୋ ପରିବାରର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତ ଏବଂ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇଥିଲେ । ଏ ବିଷୟରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଚିକେନ୍ ମାଉସୀଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଶ୍ମଶାନକୁ ନିଆଯାଇ ସସମ୍ମାନେ ସତ୍କାର କରାଯାଇଥିଲା । ଶେଷକୃତ୍ୟ ସମୟରେ ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ୫ନଂ ୱାର୍ଡର କର୍ପୋରେଟର ଶ୍ରୀମତି ମିନୁଶ୍ରୀ ଖୁଣ୍ଟିଆ ଏବଂ ସ୍ଵେଚ୍ଛାସେବୀ ଶ୍ରୀମତି କୃଷ୍ଣପ୍ରିୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏଭଳି ପରିସ୍ଥିତିରେ ଓଡ଼ିଶା ମୋ ପରିବାର ସହାୟତାର ହାତ ବଢାଇ ଥିବାରୁ ସ୍ଥାନୀୟ ବାସିନ୍ଦା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ଓ ଏଭଳି ମହତ୍ ପଦକ୍ଷେପ ପାଇଁ ଓଡ଼ିଶା ମୋ ପରିବାରକୁ ଭୂରି ଭୂରି ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking