ଲଦାଖ: ଦୀର୍ଘଦିନ ଧରି ମୁହାଁମୁହିଁ ହେବା ପରେ ଶେଷରେ ଚୀନ ଜିଦ୍ ଭାଙ୍ଗିଛି। ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ସେପ୍ଟେମ୍ବର ୧୨ ତାରିଖ ସୁଧା ଉଭୟ ଭାରତ ଓ ଚୀନ ନିଜ ନିଜର ସେନା ପ୍ରତ୍ୟାହାର କରିବେ ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୀମାରେ ଚୀନର ଦାଦାଗିରି ଯୋଗୁ ଭାରତ ଏହାକୁ ବିରୋଧ କରିଥିଲା। ଫଳରେ ଉଭୟ ଦେଶ ଯବାନଙ୍କ ମଧ୍ୟରେ ଗୁପ୍ତରେ ଲଢ଼େଇ ହୋଇଥିଲା। ଏଥିରେ ଉଭୟ ଦେଶର ଯବାନଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ପ୍ରାୟ ଦୁଇ ବର୍ଷରୁ ଅଧିକ ହେବ ଉଭୟ ଦେଶ ସୀମା ମାଡ଼ି ବସିଥିଲେ। ସୀମାରୁ ସୈନ୍ୟ ହଟାଇବା ନେଇ ପୂର୍ବରୁ ଅନେକ ଥର ଆଲୋଚନା ହୋଇଛି। ଏହି ଆଲୋଚନା ଭିତରେ ଶେଷରେ ଚୀନ ସେନା ହଟାଇବାକୁ ରାଜି ହୋଇଛି। କେବଳ ଭାରତ ନୁହେଁ ସେନା ହଟାଇବାକୁ ନେଇ ଚୀନ ପକ୍ଷରୁ ବି ସୁନିଶ୍ଚିତ କରାଯାଇଛି। ଆସନ୍ତା ସପ୍ତାହରେ ଉଜ୍ବେକିସ୍ତାନରେ ଏକ ବୈଠକ ରହିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଯୋଗ ଦେଇପାରନ୍ତି। ସେନା ପ୍ରତ୍ୟାହାର ନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗତ ଶୁକ୍ରବାର ସୂଚନା ଦିଆଯାଇଛି। ପଶ୍ଚିମ ହିମାଳୟର ଅଞ୍ଚୁଳରୁ ଭାରତ ଓ ଚୀନ ସେନା ପ୍ରତ୍ୟାହାର କରିବେ। ଆସନ୍ତା ସପ୍ତାହ ଶେଷ ସୁଧା ଏହା ପ୍ରତ୍ୟାହାର ଶେଷ ହେବ। ଏନେଇ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି “ ପର୍ୟ୍ୟାକ୍ରମେ ସୀମାରେ ମୁତୟନ ସୈନ୍ୟକୁ ପ୍ରତ୍ୟାହାର କରିବାକୁ ଦୁଇ ପକ୍ଷ ସହମତି ପ୍ରକାଶ କରିଛନ୍ତି। ପରସ୍ପର ସହଯୋଗରେ ଉଭୟ ସେନା ନିଜ ନିଜସ୍ଥାନରୁ ଫେରିବ। ” ତା ସହ ସେଠାରେ ତିଆରି କରାଯାଇଥିବା ସମସ୍ତ ଅସ୍ଥାୟୀ ନିର୍ମାଣକୁ ନଷ୍ଟ କରିଦେବା ବି ଚୁକ୍ତି ହୋଇଛି।