29.1 C
Bhubaneswar
Saturday, October 5, 2024
Homeଓଡିଶାରାଜକେଳ ଗ୍ରାମରେ କିଡ୍‌ନୀ ଆତଙ୍କ: ୨ ବର୍ଷରେ ୬ ମୃତ, ୩ ଗୁରୁତର

ରାଜକେଳ ଗ୍ରାମରେ କିଡ୍‌ନୀ ଆତଙ୍କ: ୨ ବର୍ଷରେ ୬ ମୃତ, ୩ ଗୁରୁତର

ଦେଓଗାଁ : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଘୁନା ପଞ୍ଚାୟତ ଅନ୍ତର୍ଗତ ରାଜକେଳ ଗାଁରେ ବଢୁଛି କିଡ୍‌ନୀ ରୋଗ । ଗତ ୨ ବର୍ଷ ମଧ୍ୟରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେଳେ ୩ ଜଣ ବର୍ତ୍ତମାନ ମୃତ୍ୟୁ ପାଇଁ ସଂଗ୍ରାମ କରୁଥିବା ଜଣାପଡିଛି । ତଥାପି ଗାଁକୁ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ଗାଁକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ପାନୀୟଜଳ ପରୀକ୍ଷା କରିବା ପାଇଁ ଲୋକେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜକେଳ ଗାଁରେ ପ୍ରାୟ ୧୧ଟି ପଡାରେ ୧୩ ଶହ ଊର୍ଦ୍ଧ୍ୱ ଲୋକବାସ କରନ୍ତି । ସେଥି ମଧ୍ୟ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ଅଟନ୍ତି । ଗାଁ ଲୋକ କହିବା ଅନୁସାରେ ପୂର୍ବରୁ ପ୍ରାୟ ୧୫ ବର୍ଷ ଊର୍ଦ୍ଧ୍ୱ ହେବ ଗାଁର ସମସ୍ତ ଲୋକମାନେ ପୋଖରୀ ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଥିଲେ ।

ହେଲେ ବର୍ତ୍ତମାନ ସମସ୍ତ ପଡାରେ ନଳକୂପର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ପ୍ରାୟ ନଳକୂପର ପାଣି ପଡି ଚାନ୍ଦିନୀରେ ଚାରି ପଟେ ହଳଦୀ ହୋଇ କଳା ପଡ଼ିଯାଉଛି । ଏବଂ ପାଣିରେ ଅଧିକ ମାତ୍ରାରେ ଫ୍ଲୋରାଇଡ୍ ଅଂଶ ରହିଥିବାରୁ ଏହି ରୋଗ ମୁଖ୍ୟ କାରଣ ବୋଲି ଗାଁ ଲୋକେ ଆଶଙ୍କା କରୁଛନ୍ତି । ଏହି ରୋଗ ଦ୍ୱାରା ପ୍ରାୟ ୨ ବର୍ଷ ମଧ୍ୟରେ ଗାଁ ୬ ଜଣ ମୃତ୍ୟୁବରଣ କରିଛନ୍ତି । ସେଥିମଧ୍ୟରୁ ଅଧିକାଂଶ ୩୦ ରୁ ୪୦ ବୟସର ଲୋଇ ବୋଲି ଗାଁ ଲୋକେ କହିଛନ୍ତି । ପୂର୍ବରୁ ରୋଗର ଲକ୍ଷଣ ଜଣାପଡୁ ନଥିବା ବେଳେ ହଠାତ୍ ରୋଗାକ୍ରାନ୍ତ ହୋଇ ବଲାଙ୍ଗିର, ବୁର୍ଲା, ବିଷମକଟକ ସହ ୱାଲଟିଅର୍ ନେଇ ନେଇ ରୋଗୀଙ୍କୁ ଚିକିତ୍ସା କଲା ପରେ ସମସ୍ତ ଜମିବାଡ଼ିକୁ ବନ୍ଧା ପକାଇ ଟଙ୍କା ପାଇସା ସାରିବା ମୁଣ୍ଡରେ ହାତ ଦେଇ ଘରେ ବସି ରହୁଛନ୍ତି ।

ଏହାପରେ କିଛି ଦିନ ଗଲା ପରେ ରୋଗୀ ମୃତ୍ୟୁବରଣ କରୁଛନ୍ତି । ଯାହା ଦ୍ୱାରା ଛୋଟ ଛୋଟ ଶିଶୁ ଅନାଥ ହେବା ସହ ଘରର ମହିଳାମାନେ କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଯାହା ଏକ ହୃଦବିଦାରକ ଦୃଶ୍ୟ । ବର୍ତ୍ତମାନ ଗାଁର ୨୫ ରୁ ୩୦ ବର୍ଷ ଦୁଇ ଯୁବକ ଦିନ ଭୋଇ ଓ ସୁଦାମ ଭୋଇ ଏବଂ ୫୦ ବୟସର କାଳିଆ ଘଡେଇ ପରିସ୍ଥିତି ଜଟିଳ ରହିଥିବାରୁ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସୂଚନା ମିଳିଛି । ଏହିପରି ପ୍ରତି ପଡାରେ କିଛି କିଛି ଲୋକ କିଡ୍‌ନୀ ରୋଗ ଶିକାର ହୋଇଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking