ଚେନ୍ନାଇ: ବୁଧବାର ନିଟ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ଆଶାନୁରୂପ ଫଳ ନପାଇବା ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି । ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ତିରୁଭାଲୁର ଜିଲ୍ଲାର ଜଣେ ୧୯ବର୍ଷୀୟ ଯୁବତୀ ନିଟ ୟୁଜି ପରୀକ୍ଷାରେ ବିଫଳ ହେବାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଥିରୁମୁଲାଇଭୋୟାଲର ଇନ୍ଦିରା ନାଗର ଚୋଲାପୁରାମର ଲଖସାନା ସ୍ୱିଧା ବୋଲି ସୂଚନା ରହିଛି । ଲଖସାନାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ଓଡ଼ିଶାର ସୋମଦତ୍ତ ନାୟକ ରାଜ୍ୟ ଟପ୍ପର ହୋଇଥିବାବେଳେ ରାଜସ୍ଥାନର ତନିସ୍କା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସୋମଦତ୍ତ ନାୟକ ୯୯.୯୯ ସ୍କୋର ରଖି ଓଡ଼ିଶାରୁ ଆଗରେ ରହିଥିବା ବେଳେ ସର୍ବ ଭାରତୀୟ ରାକିଂରେ ୩୯ରେ ରହିଛନ୍ତି । ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଓଡ଼ିଶା ଭାଷାରେ ୮୨୨ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ । ଅନ୍ୟପଟେ ଓଡ଼ିଶାରୁ ୪୪ ହଜାର ୯୪୭ ଜଣ ପରୀକ୍ଷା ଦେବା ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କର ମଧ୍ୟରୁ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦେଶରେ ୧୦ ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ ୨ଜଣ ସ୍ଥାନ ପାଇଛନ୍ତି । ଦ୍ୱିତୀୟ ସ୍ଥାନରେ ପ୍ରିତମ ଗୋଚ୍ଛାୟତ ଓ ୫ ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି । ନିଟ୍ ୟୁଜି ପରୀକ୍ଷାରେ ରାଜସ୍ଥାନରେ ତନିସ୍କା ଟପ୍ପର ହୋଇଛନ୍ତି । ଦିଲ୍ଲୀର ବତ୍ସା ଆଶିଷ ବାତ୍ରା ଦ୍ୱିତୀୟ, କର୍ଣ୍ଣାଟକର ହୃଷୀକେଷ ନାଗଭୂଷଣ ଗାଙ୍ଗୁଲେ ଓ ରୁଚା ପାୱାସେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିଗ୍ରହଣ କରିଛନ୍ତି ।