18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶନ୍ୟୁଜିଲାଣ୍ଡ୍ ୮୨ରେ ସୀମିତ: ଷ୍ଟାର୍କଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ, ଅଷ୍ଟ୍ରେଲିଆ ସିରିଜ୍ ବିଜୟୀ

ନ୍ୟୁଜିଲାଣ୍ଡ୍ ୮୨ରେ ସୀମିତ: ଷ୍ଟାର୍କଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ, ଅଷ୍ଟ୍ରେଲିଆ ସିରିଜ୍ ବିଜୟୀ

କେର୍ନ୍ସ : ଚଳିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଘରୋଇ ଅଷ୍ଟ୍ରେଲିଆ ୨-୦ରେ ବିଜୟୀ ହୋଇଛି । ଦଳ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ଏହି ବିଜୟ ହାସଲ କରିଛି । ଗୁରୁବାର ଏଠାରେ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଅଷ୍ଟ୍ରେଲିଆ ବୃହତ୍ ୧୧୩ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ଅଷ୍ଟ୍ରେଲିଆ ୯ ୱିକେଟ୍ ବିନିମୟରେ ୧୯୫ ରନ୍ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ୩୩ ଓଭର୍‌ରେ ମାତ୍ର ୮୨ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ୍ ବ୍ୟାଟିଂ ବିପର୍ଯ୍ୟୟର କର୍ଣ୍ଣଧାର ଅଷ୍ଟ୍ରେଲୀୟ ସ୍ପିନର୍ ଆଡାମ୍ ଜାମ୍ପା ସାଜିଥିଲେ । ସେ ୯ ଓଭର୍‌ରେ ମାତ୍ର ୩୫ ରନ୍ ବ୍ୟୟ କରି ଏହି ୱିକେଟ୍‌ଗୁଡ଼ିକ ଦଖଲ କରିଥିଲେ । ତେବେ ବ୍ୟାଟିଂରେ ୨ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୩୮ ରନ୍ କରିବା ସଙ୍ଗେ ସଙ୍ଗେ ୭ ଓଭର୍‌ରେ ମାତ୍ର ୧୨ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ମିଚେଲ୍ ଷ୍ଟାର୍କ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର୍ ଓ ଅଧିନାୟକ ଆରୋନ୍ ଫିଞ୍ଚ୍ ଯଥାକ୍ରମେ ୫ ଓ ୦ରେ ଆଉଟ୍ ହେବା ପରେ ମାର୍ନସ୍ ଲାବୁଶେନ୍ ୫ ଓ ମାର୍କସ୍ ଷ୍ଟୋଇନିସ୍ ଶୂନରେ ବିଦାୟ ନେଇଥିଲେ । ଫଳସ୍ୱରୂପ ଅଷ୍ଟ୍ରେଲିଆ ମାତ୍ର ୨୬ ରନ୍ ମଧ୍ୟରେ ୪ ଜଣ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା । ପଞ୍ଚମ ୱିକେଟ୍‌ରେ ଆଲେକ୍ସ କ୍ୟାରୀ ଓ ଷ୍ଟିଭେନ୍ ସ୍ମିଥ୍ ୨୮ ରନ୍ ଯୋଡ଼ିବା ପରେ କ୍ୟାରୀ ୧୨ ରନ୍ କରି ଆଉଟ୍ ହୋଇଥିଲେ । ପରେ ସ୍ମିଥ୍ ସାଥୀ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ସହ ଷଷ୍ଠ ୱିକେଟ୍‌ରେ ୪୯ ରନ୍‌ର ଭାଗୀଦାରୀ କରିଥିଲେ । ମ୍ୟାକ୍ସୱେଲ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୫ ରନ୍ କରିଥିଲେ । ସିନ୍ ଆବୋଟ୍ଟ୍ ମାତ୍ର ୭ ରନ୍‌ରେ ଆଉଟ୍ ହୋଇଥିବା ବେଳେ ସ୍ମିଥ୍ ଦଳୀୟ ସ୍କୋର୍‌କୁ ୧୧୭ରେ ପହଞ୍ଚାଇଥିଲେ । ସେ ୬୧ ରନ୍‌ରେ ଆଉଟ୍ ହେବା ପୂର୍ବରୁ ୫ଟି ଚୌକା ଓ ଗୋଟିଏ ଛକା ଲଗାଇସାରିଥିଲେ । ଷ୍ଟାର୍କ ନବମ ୱିକେଟ୍‌ରେ ଆଡାମ୍ ଜାମ୍ପାଙ୍କ ସାଥୀରେ ୩୧ ଏବଂ ଦଶମ ୱିକେଟ୍‌ରେ ଜୋଶ୍ ହେଜଲଉଡ୍‌ଙ୍କ ସାଥୀରେ ଅବିଭାଜିତ ୪୭ ରନ୍ ଯୋଡ଼ି ଦଳୀୟ ସ୍କୋର୍‌କୁ ୧୯୫/୯ରେ ପହଞ୍ଚାଇଥିଲେ । ଜାମ୍ପା ୨ଟି ଚୌକା ସହ ୧୬ ଏବଂ ହେଜଲଉଡ୍ ମାତ୍ର ୧୬ଟି ବଲ୍ ଖେଳି ଗୋଟିଏ ଚୌକା ଓ ଛକା ମାଧ୍ୟମରେ ୨୩ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ୪ଟି, ମ୍ୟାଟ୍ ହେନ୍‌ରୀ ୩ଟି ଏବଂ ଟିମ୍ ସାଉଦି ଓ ମିଚେଲ୍ ସାଣ୍ଟନର୍ ଗୋଟିଏ ଲେଖାଏଁ ଓି୍ୱକେଟ୍ ନେଇଥିଲେ ।
ଅଷ୍ଟ୍ରେଲୀୟ ବୋଲରଙ୍କୁ ଉଚିତ ଭାବେ ମୁକାବିଲା କରି ନ ପାରି ନ୍ୟୁଜିଲାଣ୍ଡ୍‌ର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଫେରିଚାଲିଥିଲେ । କେବଳ ୪ ଜଣ ବ୍ୟାଟ୍ସମ୍ୟାନ୍ ୨ ଅଙ୍କରେ ପହଞ୍ଚିପାରିଥିଲେ । ସେମାନଙ୍କ ମଧ୍ୟରୁ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଗୋଟିଏ ଚୌକା ସହ ସର୍ବାଧିକ ୧୭ ରନ୍ କରିଥିବା ବେଳେ ସାଣ୍ଟନର୍ ୨ଟି ଚୌକା ସହ ଅପରାଜିତ ୧୬, ମାଇକେଲ୍ ବ୍ରେସ୍‌ୱେଲ୍ ଗୋଟିଏ ଚୌକା ସହ ୧୨ ଓ ଡାରିଲ୍ ମିଚେଲ୍ ଗୋଟିଏ ଚୌକା ମାଧ୍ୟମରେ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ଓ ଷ୍ଟାର୍କଙ୍କ ବ୍ୟତୀତ ଆବୋଟ୍ଟ୍ ୨ଟିଓ ଷ୍ଟୋଇନିସ୍ ଗୋଟିଏ ୱିକେଟ୍ ନେଇଥିଲେ । ସିରିଜ୍‌ର ଅନ୍ତିମ ଦିନିକିଆ ଆସନ୍ତା ରବିବାର ଏଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking