ନୂଆଦିଲ୍ଲୀ: ଲିଫ୍ଟରେ ଏକୁଟିଆ ଯାଉଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ସହ ବି ଘଟିପାରେ ଏପରି ଲୋମହର୍ଷକ ଘଟଣା । ଗୁଜୁରାଟର ଅହମ୍ମଦାବାଦର ଆପାର୍ଟମେଣ୍ଟ ବିଲଡିଂ ଲିଫ୍ଟରେ ଜଣେ ୯ବର୍ଷର ନାବାଳିକାକୁ ୬୨ ବର୍ଷ ବୃଦ୍ଧର ଦୁଷ୍କର୍ମ ଉଦ୍ୟମ । ଘଟଣାରେ ଅଭିଯୋଗ ପରେ ଜଣେ ବରିଷ୍ଠ ନାଗରିକଙ୍କୁ ଅଟକ ରଖିଛି ପୋଲିସ । ତେବେ ଦୁଷ୍କର୍ମ ଉଦ୍ୟମ ସମୟରେ ସିସିଟିଭିରେ କଏଦ ହୋଇଛି ଏହି ଲୋମଟାଙ୍କୁରା ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ । ଘଟଣାରେ ଚାନ୍ଦକେଡା ପୋଲିସ ଇନ୍ସପେକ୍ଟର ଭି.ଏସ ବଂଜାରା ଗଣମାଧ୍ୟମକୁ କହିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟାରେ ଗୋଡ୍ରେଜ ଗାର୍ଡେନ ସହରର ବାସିନ୍ଦା ତଥା ପୀଡ଼ିତା ନାବାଳିକାଙ୍କ ପିତା ଜଣେ ୬୨ ବର୍ଷ ବୃଦ୍ଧ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଥିଲେ । ଉକ୍ତ ବ୍ୟକ୍ତି ଜଣକ ଲିଫ୍ଟରେ ତାଙ୍କ ଝିଅ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ସ୍କୁଲରୁ ଫେରୁଥିବା ବେଳେ ଲିଫ୍ଟରେ ନାବାଳିକାକୁ ଅସଦାଚରଣ କରା ଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା ଏବଂ ଲିଫ୍ଟରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଚେକ୍ କରିଥିଲା । ତେବେ ସିସିଟିଭିରେ କଏଦ ହୋଇଥିବା ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପୋଲିସ । ସିସିଟିଭି ଫୁଟେଜରୁ ଏହା ପ୍ରମାଣିତ ହୋଇଥିଲା ଯେ ବରିଷ୍ଠ ନାଗରିକ ଜଣକ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଘଟଣାରେ ଅଟକ ଥିବା ଅଭିଯୁକ୍ତ ଜଣକ ଜଣେ ୬୨ ବର୍ଷୀୟ ବ୍ୟକ୍ତି ଏବଂ ସେ ଉକ୍ତ ଆପାର୍ଟମେଣ୍ଟ କମ୍ପେ୍ଲକ୍ସରେ ରହୁଥିବା ଭାନୁପ୍ରତାପ ରାଣା ବୋଲି ଜଣାପଡିଛି । ଅଭିଯୁକ୍ତ ଦୁଇ ପୁଅ ଏବଂ ଗୋଟିଏ ଝିଅର ପିତା ମଧ୍ୟ ଅଟନ୍ତି ।