ଭୁବନେଶ୍ୱର: ସ୍ୱାମୀ-ସ୍ତ୍ରୀ ବିବାଦକୁ ନେଇ ଜ୍ୱାଇଁ ଶ୍ୱଶୁର ଘର ପରିବାର ଲୋକଙ୍କୁ ପେଟ୍ରୋଲ୍ ଛିଞ୍ଚି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଅଭିଯୁକ୍ତ ଜ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜ୍ୱାଇଁ ହେଲେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ରହୁଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗରର ସୌମ୍ୟରଞ୍ଜନ ନାୟକ(୩୪) । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏ ନେଇ ଗତ ଅଗଷ୍ଟ ୨୫ ତାରିଖରେ ଶ୍ୱଶୁର ମହେଶ୍ୱର ନାୟକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଠାରୁ ଏକ ବତଲ୍ ଜବତ କରିଛି । ଯେଉଁଥିରୁ ପେଟ୍ରୋଲ୍ ବାସ୍ନା ଆସୁଥିଲା ।
ସୂଚନାନୁସାରେ, ମଶ୍ୱେର ନାୟକଙ୍କ ଝିଅକୁ କେନ୍ଦ୍ରାପଡାର ସୌମ୍ୟରଞ୍ଜନ ନାୟକ ବିବାହ କରିଥିଲେ । ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିବାରୁ ଝିଅ ୃାସି ବାପ ଘରେ ରହୁଥିଲା । ସ୍ତ୍ରୀ ଘରକୁ ନ ଫେରିବାରୁ ସ୍ୱାମୀ ସୌମ୍ୟରଞ୍ଜନ ଗତ ଅଗଷ୍ଟ ୨୪ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ରେ ତାଙ୍କର କିଛି ବନ୍ଧୁଙ୍କ ସହିତ ମହେଶ୍ୱରଙ୍କ ଘରକୁ ପେଟ୍ରାଲ ଛିଞ୍ଚି ନିଆଁ ଲଗାଇ ସମଗ୍ର ପରିବାରକୁ ମାରିଦେବା ପାଇଁ ଆସିଥିଲେ । ଏହି ସମୟରେ ମହେଶ୍ୱରଙ୍କ ପୁଅ ପେଟ୍ରୋଲ ଗନ୍ଧ ଶୁଙ୍ଘି ଉଠି ଯାଇଥିଲେ ଏବଂ କବାଟ ଖୋଲି ଦେଖିବା ବେଳେ ସୌମ୍ୟରଞ୍ଜନ ଦିଆସିଲି ଦ୍ୱାରା ନିଆଁ ଲଗାଇ ତାଙ୍କ ଉପରକୁ ଫୋପାଡି ସେହି ସ୍ଥାନରୁ ପଳାଇଥିଲେ ।
ଫଳରେ ତାଙ୍କ ଶରୀରର କିଛି ଅଂଶ ପୋଡିଯାଇଥିଲା ଏବଂ ପରିବାର ସଦସ୍ୟ କୌଶଳ କ୍ରମେ ନିଆଁକୁ ଆୟତ କରିଥିଲେ । ଏ ନେଇ ମହେଶ୍ୱର ପିସିଆର ସହାୟତାରେ ଖଣ୍ଡଗିରି ଥାନାରେ ଅଭିଯୋଗକାରିବା ପରେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ଘରେ ଚଢାଉ କରି ଗିରଫ ପରେ ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସ୍ଥଳେ ଅନ୍ୟ ସହଯୋଗୀଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରହିଛି ।