ଡେରାଡୁନ: ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲାରେ ଅଘଟଣ । ହରିଦ୍ବାର ଭଗବାନପୁର ଅଞ୍ଚଳରେ ଥିବା ଏକ ମେଡିସିନ ଫ୍ୟାକ୍ଟ୍ରି ରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁଁ ୭ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ଆହତମାନେ ସେହି ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ପୋଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚି ଶ୍ରମିକମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛି । ସୂଚନା ଅନୁଯାୟୀ, ଗୁରୁବାର ଦିନ ଏହି ଅଘଟଣ ଘଟିଛି । ଭଗବାନପୁର ଅଞ୍ଚଳ ସ୍ଥିତ ‘ଶିବାଲିକ ରେମିଡିଜ’ ନାମକ ଏକ ମେଡିସିନ କମ୍ପାନୀରେ ଆଇପିଏ ଡ୍ରମ ଖୋଲାଯିବା ସମୟରେ ହଠାତ୍ ସେଥିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଗ୍ୟାସ୍ ଲିକ୍ ହେବାର ଦେଖି ଫ୍ୟାକ୍ଟ୍ରି କର୍ମଚାରୀମାନେ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ । ଗ୍ୟାସ୍ ସଂସ୍ପର୍ଶରେ ଆସିବା କାରଣରୁ ସେଠାରେ କାମ କରୁଥିବା ୭ରୁ ଅଧିକ ଶ୍ରମିକ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ଧୀରେ ଧୀରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସମସ୍ତଙ୍କୁ ପାଖ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଶ୍ରମିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଅସୁସ୍ଥ ଶ୍ରମିକମାନେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।