ମସ୍କୋ :ସୋଭିଏତ୍ ସଂଘର ଅନ୍ତିମ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚୋଭ୍ଙ୍କ ପରଲୋକ ହୋଇଯାଇଛି । ୯୧ ବର୍ଷୀୟ ଗୋର୍ବାଚୋଭ୍ ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ । ସୋଭିଏତ୍ ସଂଘର ଅଷ୍ଟମ ତଥା ଅନ୍ତିମ ରାଷ୍ଟ୍ରପତି ଥିବା ଗୋର୍ବାଚୋଭ୍ ବିନା ରକ୍ତପାତରେ ଶୀତଳ ଯୁଦ୍ଧର ଅବସାନ ଘଟାଇଥିଲେ ମଧ୍ୟ ସୋଭିଏତ୍ ସଂଘର ପତନକୁ ରୋକିପାରି ନଥିଲେ । ତାଙ୍କ ପରଲୋକରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଶୋକପ୍ରକାଶ କରିଛନ୍ତି । ଆଜି ମସ୍କୋରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ଗ୍ଲାସ୍ନୋସ୍ତ ଅର୍ଥାତ୍ ଅଭିବ୍ୟକ୍ତିର ସ୍ୱାଧୀନତାର ସେ ଜଣେ ବଡ଼ ସମର୍ଥକ ଥିଲେ । ସୋଭିଏତ୍ ସଂଘର ପତନ ପରେ ସେ ରୁଷୀୟ ମିଡିଆ ଏବଂ କଳା ଜଗତକୁ ସ୍ୱାଧୀନତା ଦେଇଥିଲେ । ସରକାରରେ କମ୍ୟୁନିଷ୍ଟଙ୍କ ପ୍ରଭାବ ହ୍ରାସ କରିବା ନିମନ୍ତେ ସେ ବହୁ କ୍ରାନ୍ତିକାରୀ ସୁଧାର କରିଥିଲେ । ସେହି ସମୟରେ ହଜାର ହଜାର ରାଜନୈତିକ ବନ୍ଦୀ ଏବଂ କମ୍ୟୁନିଷ୍ଟ ସମାଲୋଚକଙ୍କୁ ଜେଲ୍ରୁ ମଧ୍ୟ ମୁକ୍ତ କରାଯାଇଥିଲା। ଗୋର୍ବାଚୋଭ୍ ଆମେରିକା ସହିତ ନ୍ୟୁକ୍ଲିୟର୍ ଡିସ୍ଆର୍ମାମେଣ୍ଟ୍ ଏଗ୍ରୀମେଣ୍ଟ୍ କରିଥିଲେ । ଶୀତଳ ଯୁଦ୍ଧର ଶାନ୍ତିପୂର୍ବକ ପରିସମାପ୍ତି ଘଟାଇଥିବାରୁ ତାଙ୍କୁ ୧୯୯୦ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।