ଲିସ୍ବନ: ପର୍ତ୍ତୁଗାଲ୍ରେ ଜଣେ ଗର୍ଭବତୀ ଭାରତୀୟ ମହିଳାଙ୍କ ମୃତ୍ୟୁପରେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ତା ଟେମିଡୋ ପଦରୁ ଇସ୍ତଫା ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଗର୍ଭବତୀ ମହିଳା ପର୍ଯ୍ୟଟକଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି ହେବାପାଇଁ ରାଜଧାନୀ ଲିସ୍ବନ୍ରେ ଚକ୍କର୍ କାଟିବାକୁ ପଡ଼ିଥିଲା । ଏହି ଅବସରରେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା ।
ସ୍ଥାନୀୟ ମିଡିଆ ଅନୁସାରେ ପର୍ତ୍ତୁଗାଲ୍ର ସବୁଠୁ ବଡ଼ ହସ୍ପିଟାଲ୍ ସାନ୍ତା ମାରିୟାର ନିୟୋନେଟୋଲଜି ୟୁନିଟ୍ରେ ସ୍ଥାନ ଅଭାବ କାରଣରୁ ମହିଳାଙ୍କୁ ସେଠାରେ ଭର୍ତ୍ତି କରାଯାଇ ନଥିଲା । ଅନ୍ୟ ହସ୍ପିଟାଲ୍ରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ପରେ ପର୍ତ୍ତୁଗାଲ୍ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଅଧିକାରୀଙ୍କ ଅନୁସାରେ ଏକ ଏମର୍ଜେନ୍ସି ସିଜେରିୟାନ୍ ସେକ୍ସନ୍ ପରେ ମହିଳାଙ୍କ ଶିଶୁକୁ ବଞ୍ଚାଯାଇଛି । ଶିଶୁଟି ଏବେ ସୁସ୍ଥ ଅଛି । ମହିଳାଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ହୋଇଛି ।