ବେଙ୍ଗାଲୁରୁ : କର୍ଣ୍ଣାଟକର ହୁବ୍ଲି ଇଦ୍ଗାହ ମଇଦାନରେ ଗଣେଶ ଉତ୍ସବ ବିରୋଧରେ ଦାଖଲ ଆବେଦନର ମଙ୍ଗଳବାର ରାତିରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ କୋର୍ଟ କହିଥିଲେ, ନଗରପାଳିକାର ନିଷ୍ପତ୍ତି ଉପରେ କୌଣସି ରୋକ୍ ଲଗାଯାଇପାରିବ ନାହିଁ । ଏହାପରେ କୋର୍ଟ କେତେକ ସର୍ତ୍ତ ସହିତ ଗଣେଶ ଉତ୍ସବ ପାଳନ ପାଇଁ ଅନୁମତି ଦେଇଥିଲେ । କୋର୍ଟ ନିଷ୍ପତ୍ତି ପରେ ଏବେ ତିନିଦିନ ପାଇଁ ଗଣେଶ ଉତ୍ସବ ଆୟୋଜିତ ହେବ । ଅଞ୍ଜୁମନ ଇସ୍ଲାମିଆ ପକ୍ଷରୁ ଦାୟର ଆବେଦନ ଉପରେ ଜଷ୍ଟିସ୍ ଅଶୋକ କିନାଗୀଙ୍କ ଚାମ୍ବରରେ ରାତି ୧୦ଟାରେ ଶୁଣାଣି ଆରମ୍ଭ ହୋଇଥିଲା ଏବଂ ଏହା ୩୩ ମିନିଟ୍ ଚାଲିଥିଲା । ସରକାରଙ୍କ ପକ୍ଷରୁ ଏହା ବିବାଦୀୟ ଜମି ବୋଲି କୁହାଯାଇଥିବା ବେଳେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୁଧବାର ଇଦ୍ଗାହ ମଇଦାନରେ ଯଥାରୀତିରେ ଗଣେଶ ପୂଜାର ଆରମ୍ଭ ହୋଇଛି । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଞ୍ଚୁମନ ଇସ୍ଲାମିୟା ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ମଙ୍ଗଳବାର ସୁପ୍ରିମକୋର୍ଟ ବେଙ୍ଗାଲୁରୁ ଇଦ୍ଗାହ ମଇଦାନରେ ଗଣେଶ ଉତ୍ସବ ପାଳନ ଉପରେ ରୋକ୍ ଲଗାଇଥିଲେ । ଜଷ୍ଟିସ୍ ଇନ୍ଦ୍ରାଣୀ ବାନାର୍ଜୀଙ୍କ ବେଞ୍ଚ୍ କିଛିଦିନ ପାଇଁ ଯଥାସ୍ଥିତି ବଜାୟ ରଖିବାକୁ କହିଥିଲେ । ଏହା ସହିତ ଗଣେଶ ଉତ୍ସବ ଚାମରାଜପେଟ ଇଦ୍ଗାହ ମଇଦାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଆୟୋଜନ କରାଇପାରେ ବୋଲି କହିଥିଲେ । ବେଞ୍ଚ୍ କହିଥିଲେ, ଇଦ୍ଗାହ ମଇଦାନ ଜମି ବିବାଦର ନିଷ୍ପତ୍ତି ହାଇକୋର୍ଟରେ ହେବ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ଅଞ୍ଜୁମନ ଇସ୍ଲାମିୟା ହୁବ୍ଲି ଇଦ୍ଗାହ ମଇଦାନରେ ଗଣେଶ ପୂଜା ପାଳନ ଉପରେ ରୋକ୍ ଲଗାଇବା ଦାବିରେ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲା ।