ନୂଆଦିଲ୍ଲୀ: କୋରୋନା ସଂକ୍ରମଣରେ ବଡ ହ୍ରାସ । ଦେଶରେ ୫ ହଜାରରେ ପହଞ୍ଚିଲା ଦୈନିକ ସଂକ୍ରମଣ । କିଛି ଦିନ ହେବ ଭାରତରେ ପଜିଟିଭଙ୍କ ସଂଖ୍ୟା କମୁଥିବାବେଳେ, ଆଜି ଏଥିରେ ବଡ ହ୍ରାସ ଦେଖାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମାତ୍ର ୫,୪୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୭,୫୯୧ ଥିଲା । ଅନ୍ୟପଟେ ଦେଶରେ ସଂକ୍ରମଣ କମୁଥିବାବେଳେ, ସୁସ୍ଥସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୨୨,୦୩୧ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୮,୨୫,୦୨୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୫,୭୩୨ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୭୦%% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର ୨.୬୪% ଅଛି । ଦେଶରେ କୋରୋନା ସୁସ୍ଥହାର ୯୮.୬୬%ରେ ପହଞ୍ଚିଛି । ଏବେସୁଦ୍ଧା ୫ ଲକ୍ଷ ୨୭ ହଜାରରୁ ଅଧିକ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କୋଭିଡ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସାରା ଦେଶରେ ୮୮.୫୫ କୋଟି ଟେଷ୍ଟିଂ ହୋଇଛି । ଗତ ୨୪ ଘଣ୍ଟାରେ ୩,୨୦,୪୮ ଟେଷ୍ଟି କରାଯାଇଛି ।