ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ କାଠପାହି ଘାଟ ବ୍ରାହ୍ମଣୀରେ ଗାଧୋଉଥିବାବେଳେ ବନ୍ୟାସ୍ରୋତରେ ସୋମବାର ଜଣେ ଯୁବକ ଭାସିଯାଇ ପ୍ରାଣ ହରାଇଛନ୍ତି । ସେ ହେଲେ ବାଲିପଡା ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କ ପୁଅ ସୌମ୍ୟରଞ୍ଜନ ସାହୁ (୨୦) । ସେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ନିକଟରେ ଥିବା ଡିଙ୍ଗିରେ ମାଛ ଧରୁଥିବା ସ୍ଥାନୀୟ ବଙ୍ଗାଳିଦିଆ ଗ୍ରାମର କେତେକ ବ୍ୟକ୍ତି ସାହାସ ଜୁଟାଇ ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ପ୍ରାୟ ଘଣ୍ଟାଏ ପରେ ମାଛଧରାଳୀମାନେ ସୌମ୍ୟରଞ୍ଜନଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରିଥିଲେ ।
ମୃତ୍ୟୁ ଖବରପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, ପୌରାଧ୍ୟକ୍ଷ ହେମନ୍ତ ସାହୁ, କାଉନସିଲର ପ୍ରଶାନ୍ତ ବାରିକ, ପ୍ରେସକ୍ଲବର ମୁଖ୍ୟ ଉପଦେଷ୍ଟା ପତିତପାବନ ଭଦ୍ର, ସାଧାରଣ ସମ୍ପାଦକ ଅନୀଲ ଚୌଧୁରୀ, କୋଷାଧ୍ୟକ୍ଷ ଡା. ଅଲେଖ ଶର୍ମା, ମହାବୀର ହେଲ୍ପଲାଇନ ବରିଷ୍ଠ ସଭ୍ୟ ରାଧାମୋହନ ଦାଶ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପଟ୍ଟାମୁଣ୍ଡାଇ ବଣିକ ସଂଘ ସଭାପତି ଗୋପୀନାଥ କର, ଉପଦେଷ୍ଟା କୀରଣ ଭୂୟାଁ, କୋଷାଧ୍ୟକ୍ଷ ପର୍ଶୁରାମ ଷଣ୍ଢ, ଉପସଭାପତି ମୋହନ ଦାସ, ପ୍ରଫୁଲ୍ଲ ଲେଙ୍କା ପ୍ରମୁଖ ଶୋକପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀ ସାହୁ ମୃତ ଯୁବକଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।