ଦୁବାଇ: ରବିବାର ଚଳିତ ଏସିଆ କପ୍ର ଦ୍ୱିତୀୟ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ୍ଟି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଥିଲା । କାରଣ ସେ ତାଙ୍କର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏଥିସହ ସେ ଭାରତର ପ୍ରଥମ ଓ ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ତିନିଟିଯାକ ଫର୍ମାଟ୍ରେ ଶହେଟି ଲେଖାଏଁ ମ୍ୟାଚ୍ ଖେଳିବାର ଗୌରବ ଲାଭ କରିଥିଲେ । ତାଙ୍କ ପୂର୍ବରୁ ଗତ ୨୦୨୦ରେ ନ୍ୟୁଜିଲାଣ୍ଡ୍ର ରସ୍ ଟେଲର୍ ଏକମାତ୍ର କ୍ରିକେଟର୍ ଭାବେ ଏହି ସଫଳତା ପାଇଥିଲେ ।
ତେବେ କୋହଲି ଏହି ମ୍ୟାଚ୍ରେ ୩୫ ରନ୍ କରି ଏକ ଦାୟିତ୍ୱହୀନ ଶଟ୍ ଖେଳି ଆଉଟ୍ ହୋଇଥିଲେ । ତାଙ୍କ ବିଦାୟ ପରେ ପାକିସ୍ତାନର ପଲା ଭାରୀ ହୋଇଥିଲା । କିନ୍ତୁ ବ୍ୟାଟିଂ କ୍ରମରେ ଉନ୍ନତି ପାଇଥିବା ରବୀନ୍ଦ୍ର ଜାଡେଜା ଓ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ୫୧ ରନ୍ର ଭାଗୀଦାରୀ ହେବା ଫଳରେ ଭାରତ ମ୍ୟାଚ୍ରେ ବିଜୟୀ ହୋଇଥିଲା । ଜାଡେଜା ମଧ୍ୟ କୋହଲିଙ୍କ ପରି ୩୫ ରନ୍ କରିଥିଲେ ଓ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଅର୍ଥାତ୍ କୋହଲିଙ୍କ ଶହେତମ ମ୍ୟାଚ୍ରେ ଜାଡେଜା ଅସଲ ହିରୋ ସାବ୍ୟସ୍ତ ହୋଇଥିଲେ । ତେବେ ଏହା ଏକ ସଂଯୋଗ ଯେ ଜାଡେଜା କେବଳ କୋହଲିଙ୍କ ଶହେତମ ଅନ୍ତର୍ଜାତୀୟ ଟି-୨୦ରେ ନୁହେଁ, ବରଂ ଦିନିକିଆ ଓ ଟେଷ୍ଟ୍ ଫର୍ମାଟ୍ରେ ବି ତାଙ୍କ ପାଇଁ ଲକି ପ୍ରମାଣିତ ହୋଇଛନ୍ତି । ପୂର୍ବରୁ କୋହଲି ଶହେତମ ଦିନିକିଆ ଓ ଟେଷ୍ଟ୍ ଖେଳିଥିବା ବେଳେ ଉକ୍ତ ମ୍ୟାଚ୍ଦ୍ୱୟରେ ଜାଡେଜା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
୨୦୧୩ରେ ଇଂଲଣ୍ଡରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ କୋହଲି ତାଙ୍କର ଶହେତମ ଦିନିକିଆ ପୂରଣ କରିଥିଲେ । ଟୁର୍ଣ୍ଣାମେଣ୍ଟ୍ରେ ଜାଡେଜା ଉକ୍ତ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । କାରଣ ସେ ସେଥିରେ ୫ଟି ୱିକେଟ୍ ନେଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଟୁର୍ଣ୍ଣାମେଣ୍ଟ୍ରେ ଭାରତ ଆୟୋଜକ ଇଂଲଣ୍ଡକୁ ହରାଇ ଚାମ୍ପିଅନ୍ ମଧ୍ୟ ହୋଇଥିଲା । ଏହାଛଡ଼ା ଚଳିତ ବର୍ଷ ପ୍ରଥଢ଼ ଭାଗରେ କୋହଲି ମୋହାଲିସ୍ଥିତ ପିସିଏ ଷ୍ଟାଡିୟମ୍ଠାରେ ତାଙ୍କ ଟେଷ୍ଟ୍ କ୍ୟାରିୟର୍ର ଶହେତମ ମ୍ୟାଚ୍ ଖେଳିଥିଲେ ।
ଦିମୁଥ୍ କରୁଣାରତ୍ନେଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ବିପକ୍ଷ ଉକ୍ତ ମ୍ୟାଚ୍ରେ ଜାଡେଜା ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଜଣକ ୧୭୫ ରନ୍ର ଅପରାଜିତ ଇନିଂସ ଖେଳିବା ସହ ମ୍ୟାଚ୍ରେ ୯ଟି ୱିକେଟ୍ ମଧ୍ୟ ନେଇଥିଲେ । ତେଣୁ ତାଙ୍କୁ ଉକ୍ତ ମ୍ୟାଚ୍ରେ ନିଦ୍ୱର୍ନ୍ଦ୍ୱରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧିକନ୍ତୁ ୩୩ ବର୍ଷୀୟ ଜାଡେଜା ରବିବାର ମ୍ୟାଚ୍ରେ ୨ଟି ଲେଖାଏଁ ଚୌକା ଓ ଛକା ସମ୍ବଳିତ ୩୫ ରନ୍ କରିବା ସହ ଦୁଇ ଓଭର୍ରେ ମାତ୍ର ୧୧ ରନ୍ ଦେଇ ବେଶ୍ ମିତବ୍ୟୟୀ ସାବ୍ୟସ୍ତ ହୋଇଥିଲେ ।