28.1 C
Bhubaneswar
Sunday, November 17, 2024
Homeଏସିଆ କପ୍‌ଏସିଆ କପ୍‌: ଆଜି ବାଂଲାଦେଶକୁ ଭେଟିବ ଆଫଗାନିସ୍ତାନ

ଏସିଆ କପ୍‌: ଆଜି ବାଂଲାଦେଶକୁ ଭେଟିବ ଆଫଗାନିସ୍ତାନ

ଶାରଜା: ଚଳିତ ଏସିଆ କପ୍‌ରେ ମଙ୍ଗଳବାର ତୃତୀୟ ମ୍ୟାଚ୍‌ଟି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ବେଶ୍ ସହଜରେ ମାତ୍ ଦେଇଥିବା ଆଫଗାନିସ୍ତାନ ତା’ର ବିଜୟ ଧାରାକୁ କାଏମ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ବାଂଲାଦେଶ ତା’ର ପ୍ରଥମ ମୁକାବିଲାରେ ଅଭିଜ୍ଞ ସାକିବ୍‌-ଅଲ୍‌-ହସନ୍‌ଙ୍କ ନେତୃତ୍ୱରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ଭରପୂର ଉଦ୍ୟମ କରିବ । ନିକଟ ଅତୀତରେ ଦଳ ୧୩ଟି ଟି-୨୦ରୁ ମାତ୍ର ୨ଟିରେ ବିଜୟୀ ହୋଇଥିବାରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡକୁ ସୁଧାରିବା ସକାଶେ ମଧ୍ୟ ପ୍ରୟାସ କରିବ । ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ଦୁଇ ପେସର୍ ଫଜଲହକ୍ ଫାରୁକୀ ଓ ନବୀନ୍‌-ଉଲ୍‌-ହକ୍‌ଙ୍କ ବୋଲିଂ ମାଧ୍ୟମରେ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲା ।

ଏଥିସହ ୨ ୱିକେଟ୍ ବିନିମୟରେ ୧୦୬ ରନ୍‌ର ବିଜୟ ଲକ୍ଷ୍ୟକୁ ମଧ୍ୟ ହାସଲ କରିନେଇଥିଲା । ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ରେ ବାଂଲାଦେଶ ତୁଳନାରେ ଆଫଗାନିସ୍ତାନକୁ ଶକ୍ତିଶାଳୀ ବୋଲି ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶନାକା ଦେଇଥିବା ମନ୍ତବ୍ୟକୁ ଖାରଜ କରିଛନ୍ତି ବାଂଲା ଅଲ୍‌ରାଉଣ୍ଡର୍ ମେହଦୀ ହସନ୍ । ସେ କହିଛନ୍ତି ଯେ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଉଥିବା ଦଳଗୁଡ଼ିକ ମଧ୍ୟରେ କିଏ ଶକ୍ତିଶାଳୀ ଆଉ କିଏ ଦୁର୍ବଳ, ସେପରି ମନ୍ତବ୍ୟ ସେ ଦେବାକୁ ଚାହାନ୍ତି ନାହିଁ । କାରଣ ପଡ଼ିଆରେ ଯିଏ ଭଲ ଖେଳିବ, ସେ ହିଁ ଶକ୍ତିଶାଳୀ ଦଳ । ଖରାପ ପ୍ରଦର୍ଶନ ଭିତ୍ତିରେ କୌଣସି ଶକ୍ତିଶାଳୀ ଦଳ ବି ଦୁର୍ବଳ ପ୍ରମାଣିତ ହୋଇପାରିବ ।

ସେହିପରି ନିର୍ଦ୍ଦିଷ୍ଟ ଦିନରେ ଏକ ଦୁର୍ବଳ ଦଳ ବି ଭଲ ପ୍ରଦର୍ଶନ ମାଧ୍ୟମରେ ଶକ୍ତିଶାଳୀ ବୋଲି ସାବ୍ୟସ୍ତ ହୋଇପାରିବ । ତେଣୁ ଶ୍ରୀଲଙ୍କା ସହ ମୁକାବିଲା ହେବା ପରେ ହିଁ କିଏ ଶକ୍ତିଶାଳୀ ତାହା ଜଣାପଡ଼ିବ ବୋଲି ହସନ୍ କହିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରତିଯୋଗିତାରେ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ଏହି ମ୍ୟାଚ୍ ମାଧ୍ୟମରେ ଟୁର୍ଣ୍ଣାମେଣ୍ଟ୍‌ରେ ଦଳର ସ୍ଥିତି ପ୍ରମାଣିତ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପିଚ୍ ସ୍ପିନର୍‌ଙ୍କୁ ସୁହାଇଲେ, ଉଭୟ ପକ୍ଷକୁ ଫାଇଦା ମିଳିବ । କିନ୍ତୁ ଯେଉଁ ଦଳ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବ, ମ୍ୟାଚ୍ ଫଳାଫଳ ଉକ୍ତ ଟିମ୍ ସପକ୍ଷରେ ଯିବ ବୋଲି ହସନ୍ ପୂର୍ବାନୁମାନ କରିଛନ୍ତି ।

ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ହଜରତୁଲ୍ଲା ଜାଜାଇ, ରହମନୁଲ୍ଲା ଗୁର୍‌ବାଜ (ୱିକେଟ୍‌କିପର୍‌), ଇବ୍ରାହିମ୍ ଜାଡରାନ୍‌, ନଜିବୁଲ୍ଲାହ ଜାଡରାନ୍‌, କରିମ୍ ଜନତ୍‌, ମହମ୍ମଦ ନବୀ (ଅଧିନାୟକ), ରଶିଦ୍ ଖାନ୍‌, ଅଜମତୁଲ୍ଲା ଓମାରଜାଇ, ନବୀନ୍‌-ଉଲ୍‌-ହକ୍‌, ମୁଜିବ୍ ଉର୍ ରହମାନ୍ ଓ ଫଜଲହକ୍ ଫାରୁକୀ ।

ସମ୍ଭାବ୍ୟ ବାଂଲାଦେଶ ଏକାଦଶ: ମହମ୍ମଦ ନବୀ, ଅନାମୁଲ୍ ହକ୍‌, ସାକିବ୍‌-ଅଲ୍‌-ହସନ୍ (ଅଧିନାୟକ), ଆଫିଫ୍ ହୋସେନ୍‌, ମୁଶଫିକର୍ ରହିମ୍ (ୱିକେଟ୍‌କିପର୍‌), ମହମ୍ମଦୁଲ୍ଲା, ସବୀର୍ ରହମନ୍‌, ମେହଦୀ ହସନ୍‌, ମହମ୍ମଦ ସୈଫୁଦ୍ଦିନ୍‌, ନାସୁମ୍ ଅହମ୍ମଦ ଓ ମୁସ୍ତାଫିଜୁର୍ ରହମାନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking