ମୁମ୍ବାଇ: ଗତ ରଣ୍ଜୀ ଟ୍ରଫିରେ ମୁମ୍ବାଇ ଦଳର ନେତୃତ୍ୱ ନେଇଥିବା ଅଭିଜ୍ଞ ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଆଦିତ୍ୟ ତାରେ ଆଗାମୀ ଘରୋଇ ସିଜନ୍ରେ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଗତ ୨୦୧୫-୧୬ ସିଜନ୍ରେ ମୁମ୍ବାଇକୁ ୪୧ତମ ଟାଇଟଲ୍ ପ୍ରଦାନ କରିଥିବା ତାରେ ଏଣିକି ଉତ୍ତରାଖଣ୍ଡ ପକ୍ଷରୁ ପେସାଦାର କ୍ରିକେଟ୍ରେ ପ୍ରତିନିଧିତ୍ୱ କରିବେ ବୋଲି ଘୋଷଣା କରିଛନ୍ତି । ନିକଟରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଚୟନ କମିଟି ତାରେଙ୍କୁ ଆଗାମୀ ସିଜନ୍ ସକାଶେ ଘୋଷିତ ସମ୍ଭାବ୍ୟ ୪୭ଜଣିଆ ଦଳରେ ସ୍ଥାନ ଦେଇ ନ ଥିଲା । ଗତ ସିଜନ୍ରେ ତାଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ଦଳରୁ ମଧ୍ୟ ବାଦ୍ ଦିଆଯାଇଥିଲା ।
ସେତେବେଳେ ତାଙ୍କୁ ସୀମିତ ଓଭର୍ କ୍ରିକେଟ୍ ପାଇଁ ଦଳରେ ସ୍ଥାନ ଦିଆଯିବାର କୌଣସି ଯୋଜନା ନାହିଁ ବୋଲି ଚୟନ କମିଟି ସଦସ୍ୟମାନେ ତାରେଙ୍କୁ ସ୍ପଷ୍ଟ ଭାବେ କହିଥିଲେ । ଚୟନ ମିଟି ସଦସ୍ୟଙ୍କ ଏପରି ଆଚରଣରେ ମାନସିକ ଭାବେ ଆଘାତ ପାଇଥିବାରୁ ଅନ୍ୟ ରାଜ୍ୟ ପକ୍ଷରୁ ପ୍ରତିନିଧ୍ôତ୍ୱ କରିବା ସକାଶେ ତାରେ ସୋମବାର ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ଠାରୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍ଓସି) ଲୋଡ଼ିଛନ୍ତି । କ୍ୟାରିୟର୍ର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ଏହାକୁ ନେଇ ସେ ବେଶ୍ ଉତ୍କଣ୍ଠିତ ବୋଲି ତାରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି ।
୩୪ ବର୍ଷୀୟ ତାରେ ଗତ ୨୦୧୪-୧୫ ସିଜନ୍ରେ ପ୍ରଥମ ଥର ପାଇଁ ମୁମ୍ବାଇ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ପୂର୍ବରୁ ଅର୍ଜୁନ ତେନ୍ଦୁଲକର ଓ ସିଦ୍ଧେଶ ଲାଡ୍ ମଧ୍ୟ ମୁମ୍ବାଇ ଛାଡ଼ିସାରିଛନ୍ତି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ଟିମ୍ରେ ଆଗାମୀ ଘରୋଇ ସିଜନ୍ରେ ତାରେଙ୍କ ବ୍ୟତୀତ ପଞ୍ଜାବର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଜୀବନଜ୍ୟୋତ ସିଂହ ଓ ବରୋଦାର ପୂର୍ବତନ ସ୍ପିନର୍ ସ୍ୱପ୍ନିଳ ସିଂହ ମଧ୍ୟ ଖେଳିବେ । କିନ୍ତୁ ଗତ ସିଜନ୍ରେ ଉତ୍ତରାଖଣ୍ଡର ନେତୃତ୍ୱ ନେଇଥିବା ଅନ୍ୟତମ ମୁମ୍ବାଇ ଖେଳାଳି ଜୟ ବିସ୍ତାଙ୍କୁ ଦଳ ଆଗାମୀ ସିଜନ୍ ପାଇଁ ରିଲିଜ୍ କରିଦେଇଛି।