22.1 C
Bhubaneswar
Sunday, November 17, 2024
Homeଏସିଆ କପ୍‌ଏସିଆ କପ୍‌: ଆଜି ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍‌

ଏସିଆ କପ୍‌: ଆଜି ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍‌

ଦୁବାଇ: ଶନିବାରଠାରୁ ଏସିଆ କପ୍‌ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହୋଇଛି । ତେବେ ଉଦ୍‌ଘାଟନୀ ମୁକାବିଲା ଅପେକ୍ଷା ଦର୍ଶକଙ୍କ ନଜର ଆଜ ହେବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ଉପରେ ରହିଛି । ଗ୍ରୁପ୍‌-ଏ’ର ଏହି ପ୍ରଥମ ମ୍ୟାଚ୍‌ରେ ଦୁଇ ଦଳ ପାଖାପାଖି ୧୦ ମାସ ପରେ ସମାନ ଭେନ୍ୟୁରେ ପରସ୍ପରକୁ ଭେଟିବେ । ଗତ ବର୍ଷ ଏଠାକାର ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ପାକିସ୍ତାନ ଭାରତକୁ ଟି-୨୦ ବିଶ୍ୱକପ୍‌ରେ ୧୦ ୱିକେଟ୍‌ରେ ପରାସ୍ତ କରି ବିଶ୍ୱକପ୍ ଇତିହାସରେ ପ୍ରଥମ ବିଜୟ ହାସଲ କରିଥିଲା । ଉକ୍ତ ପରାଜୟ କାରଣରୁ ଭାରତକୁ ପ୍ରତିଯୋଗିତାରୁ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିଥିଲା । କିନ୍ତୁ ଉକ୍ତ ପରାଜୟ ପରେ ଭାରତ ଏକାଧିକ ଦ୍ୱିପାକ୍ଷିକ ସିରିଜ୍ ବିଜୟୀ ହୋଇପାରିଛି । ଦଳ ନ୍ୟୁଜିଲାଣ୍ଡ୍ ଓ ୱେଷ୍ଟ୍‌ଇଣ୍ଡିଜ୍‌କୁ ଦୁଇ ଥର ଲେଖାଏଁ ପରାସ୍ତ କରିଥିବା ବେଳେ ଶ୍ରୀଲଙ୍କା, ଆୟର୍ଲାଣ୍ଡ୍ ଓ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଦ୍ୱିପାକ୍ଷିକ ସିରିଜ୍ ବିଜୟୀ ହୋଇଛି । ଆହୁରି ସାଉଥ୍ ଆଫ୍ରିକା ସହ ସମ୍ମାନ ଶେୟାର୍ କରିଛି ଦଳ । ଫଳସ୍ୱରୂପ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ତେଣୁ ଦଳକୁ ଏସିଆ କପ୍ ଚାମ୍ପିଅନ୍ ଭାବେ ଫେବରିଟ୍ ବି ମନେ କରାଯାଉଛି ।

ଅନ୍ୟପକ୍ଷରେ ପାକିସ୍ତାନ ଗତବର୍ଷର ଟି-୨୦ ବିଶ୍ୱକପ୍‌ରେ ଭାରତକୁ ପରାସ୍ତ କରିବା ପରେ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଉକ୍ତ ପର୍ଯ୍ୟାୟରେ ଦଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା । ଆଗକୁ ଟି-୨୦ ବିଶ୍ୱକପ୍ ଥିବାରୁ ଦଳ ଅଧିକରୁ ଅଧିକ କ୍ଷୁଦ୍ର ଫର୍ମାଟ୍ କ୍ରିକେଟ୍ ଖେଳିବା ସକାଶେ ଉଦ୍ୟମ କରିଥିଲେ ମଧ୍ୟ ଗତ ୧୦ ମାସ ମଧ୍ୟରେ ମାତ୍ର ୨ଟି ଦ୍ୱିପାକ୍ଷିକ ସିରିଜ୍ ଖେଳିପାରିଛି । ଦଳ ବାଂଲାଦେଶ ଓ ପାକିସ୍ତାନ ବିପକ୍ଷ ସିରିଜ୍‌କୁ ୩-୦ରେ ଜିତିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟି-୨୦ରେ ଦଳ ପରାସ୍ତ ହୋଇଥିଲା। ତେବେ ଉଭୟ ଦଳର ପ୍ରତିଦ୍ୱନ୍ଦ୍ୱିତା ସ୍ତର ବିଚାରକୁ ନେଲେ, ନିର୍ଦ୍ଦିଷ୍ଟ ଦିନରେ କୌଣସି ପୂର୍ବ ଫଳାଫଳ ବିଶେଷ ଗୁରୁତ୍ୱ ରଖେନା । ଉକ୍ତ ଦିନର ଶ୍ରେଷ୍ଠ ଟିମ୍ ହିଁ ସବୁବେଳେ ବିଜେତା ହେବାର ନଜିର ରହିଛି । ସେହିପରି ଦୁଇ ଦଳର ଖେଳାଳିଙ୍କ ସମ୍ପର୍କରେ ବିଚାର କଲେ, ଟିମ୍ ଇଣ୍ଡିଆ ମୁଖ୍ୟତଃ ଓପନର ତଥା ଅଧିନାୟକ ରୋହିତ ଶର୍ମା, ଲୋକେଶ ରାହୁଲ୍ ଓ ବିରାଟ କୋହଲିଙ୍କ ଉପରେ ନିର୍ଭରଶୀଳ ରହିବ ।

ଅଭିଜ୍ଞ ପେସର୍ ଜସପ୍ରୀତ୍ ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ଭାର ଅଭିଜ୍ଞ ଭୁବନେଶ୍ୱର କୁମାର ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ବହନ କରିବେ । ଅନ୍ୟପକ୍ଷରେ ପାକିସ୍ତାନର ଭାଗ୍ୟ ଦୁଇ ଓପନର୍ ଅଧିନାୟକ ବାବର୍ ଆଜମ୍ ଓ ମହମ୍ମଦ ରିଜୱାନ୍‌ଙ୍କ ପ୍ରଦର୍ଶନ ଉପରେ ଅଧିକତଃ ନିର୍ଭର କରିବ । ବାବର୍ ଟି-୨୦ କ୍ରିକେଟ୍‌ରେ ଏକ ନମ୍ବର ବ୍ୟାଟର୍ ଅଛନ୍ତି ଓ ୨୭ ବର୍ଷୀୟ ରିଜୱାନ୍ ଗତ ବର୍ଷର ବିଶ୍ୱକପ୍‌ରେ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ବାବରଙ୍କ ପାଖରେ ବିଶ୍ୱର ଶୀର୍ଷ ବୋଲରଙ୍କୁ ମାତ୍ ଦେବାର ଦକ୍ଷତା ରହିଛି । କିନ୍ତୁ ଦଳ ଅଭିଜ୍ଞ ଶାହିନ୍ ଶାହ ଆଫ୍ରିଦିଙ୍କୁ ପେସ୍ ବାହିନୀରେ ମିସ୍ କରିବ । ତା’ଛଡ଼ା ଏସିଆ କପ୍‌ର ଅବ୍ୟବହିତ ପୂର୍ବରୁ ଅନ୍ୟତମ ପେସର୍ ମହମ୍ମଦ ୱାସିମ୍ ଜୁନିୟର୍ ମଧ୍ୟ ଆହତ ହୋଇଛନ୍ତି । ତେଣଉ ତାଙ୍କ ସ୍ଥାନରେ ପ୍ରତିଭାବାନ ପେସର୍ ହସନ୍ ଅଲୀଙ୍କୁ ପାକିସ୍ତାନ ସ୍କ୍ୱାଡ୍‌ରେ ସାମିଲ୍ କରାଯାଇଛି ।

ଏହି ମ୍ୟାଚ୍‌ରେ ମୁଖ୍ୟତଃ କୋହଲିଙ୍କ ଉପରେ ସମସ୍ତଙ୍କ ଦୃଷ୍ଟିନିବଦ୍ଧ ରହିବ । କାରଣ ଏହି ତାରକା ଖେଳାଳି ଜଣକ ପାଖାପାଖି ହଜାରେ ଦିନ ହେଲା କୌଣସି ଅନ୍ତର୍ଜାତୀୟ ଶତକ ହାସଲ କରିପାରିନାହାନ୍ତି । ଗତବର୍ଷର ଟି-୨୦ ବିଶ୍ୱକପ୍‌ରେ ଦଳ ସଅଳ ବିଦାୟ ନେବା ପରେ ସେ ଅଧିନାୟକ ପଦ ଛାଡ଼ିଥିଲେ ଓ ପରବର୍ତ୍ତୀ ସମୟରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଥିଲା । କିନ୍ତୁ ଅଧିନାୟକ ପଦ ଛାଡ଼ିବା ସତ୍ତ୍ୱେ କୋହଲି ବ୍ୟାଟିଂରେ କୌଣସି କରିସ୍ମା ଦେଖାଇପାରିନାହାନ୍ତି । ତେବେ ଏସିଆ କପ୍ ପୂର୍ବରୁ କୋହଲି ଭରପୂର ବିଶ୍ରାମ ନେଇଥିବାରୁ ଏଠାରେ ଫର୍ମକୁ ଫେରିବା ନେଇ ପ୍ରଶଂସକ ଆଶାବାଦୀ ଅଛନ୍ତି ।

ଉପରୋକ୍ତ ଖେଳାଳିମାନଙ୍କୁ ବାଦ୍ ଦେଲେ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଶାଦାବ୍ ଖାନ୍ ଓ ରିଜୱାନ୍ ମଧ୍ୟ ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇପାରନ୍ତି । ଦୁଇ ଦଳ ମଧ୍ୟରେ ଏସିଆ କପ୍‌ରେ ହୋଇଥିବା ମୁକାବିଲାକୁ ବିଚାରକୁ ନେଲେ, ଏଥିରେ ଭାରତର ପଲା ଭାରି ରହିଛି । କାରଣ ଅଦ୍ୟାବଧି ଦୁଇ ଦଳ ମଧ୍ୟରେ ଏହି ପ୍ରାନ୍ତୀୟ ଟୁର୍ଣ୍ଣାମେଣ୍ଟ୍‌ରେ ୯ ଥର ମୁକାବିଲା ହୋଇଥିବା ବେଳେ ଏଥିରେ ଫଳାଫଳ ୬ ଥର ଭାରତ ସପକ୍ଷରେ ଯାଇଛି । ପାକିସ୍ତାନ ମାତ୍ର ୨ ଥର ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇରେ ଶେଷ ହୋଇଛି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ୍‌, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ (ୱିକେଟ୍‌କିପର୍‌), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍‌, ଅଭେଶ ଖାନ୍ ଓ ଅର୍ଶଦୀପ ସିଂହ ।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ବାବର୍ ଆଜମ୍ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଫାଖର୍ ଜମାନ୍‌, ଇଫ୍‌ତିକାର ଅହମ୍ମଦ, ଖୁଶଦିଲ୍ ଶାହ, ହାଇଦର୍ ଅଲୀ, ଆସିଫ୍ ଅଲୀ, ଶାଦାବ୍ ଖାନ୍‌, ମହମ୍ମଦ ନୱାଜ୍‌, ହ୍ୟାରିସ୍ ରୌଫ୍ ଓ ନସୀମ୍ ଶାହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking