ନୂଆଦିଲ୍ଲୀ: ଜୀବନକାଳ ମଧ୍ୟରେ କିଛି ଖାସ୍ ଅନୁଭବ ଓ କୃତିତ୍ୱ ହାସଲ କରିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ମନ ଚାହୁଁଥିବା କଥା ପାଇଁ ପ୍ରସ୍ତୁତ ହେବାର କୌଣସି ବୟସ ମଧ୍ୟ ନାହିଁ । ଅଷ୍ଟ୍ରେଲିଆର ଜଣେ ଶତାୟୁ ବୃଦ୍ଧାଙ୍କ ଇଚ୍ଛା କିନ୍ତୁ ଗିରଫ ହେବା । ବିଶ୍ୱାସ ନ ହେଲେ ବି ବୃଦ୍ଧା ଜଣକ ନିଜର ଏହି ଅଜବ ଇଚ୍ଛା ପୂରଣ କରିଛନ୍ତି । ଜିନ୍ ବିକେନଟନ୍ ଏକ ନାଟକୀୟ ପାର୍ଟି ଜରିଆରେ ନିଜର ୧୦୦ତମ ଜନ୍ମଦିନ ପାଳନ କରୁଥିଲେ । ଏହି ସମୟରେ ପୁଲିସ ଅଫିସରମାନେ ଉତ୍ସବରେ ବାଧା ଦେଲେ । ତାଙ୍କୁ ପାର୍ଟିରୁ ବିରତ କଲେ ଏବଂ ଗିରଫ କଲେ । ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ଦ୍ୱାରା ଜିନଙ୍କ ଇଚ୍ଛା ପୂରଣ ହୋଇଛି । ୧୦୦ ବର୍ଷୀୟା ଜିନ୍ ଦୀର୍ଘ ଦଶନ୍ଧି ଧରି ଆର୍ମି ନର୍ସ ଭାବେ କାମ କରିବା ପରେ ଅବସର ନେଇଛନ୍ତି । ଚାକିରି କାଳ ମଧ୍ୟରେ ସେ କେବେ ମଦ୍ୟପାନ କରିନଥିଲେ ଏବଂ ଗିରଫ ମଧ୍ୟ ହୋଇନଥିଲେ । ତେବେ ୧୦୦ତମ ଜନ୍ମଦିନ ଅବସରରେ ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି । ଏହା ପରେ ଭିକ୍ଟୋରିଆ ପୁଲିସ ଅଧିକାରୀମାନେ ତାଙ୍କ ସହିତ ଏକ ଫଟୋ ଉଠାଇ ବିଭାଗର ଔପଚାରିକ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ପୁଲିସ ଅଧିକାରୀ ଉଲ୍ଲେଖ କରିଛନ୍ତି ‘ନାରାକାନ୍ ଗାର୍ଡେନ୍ସ ରେସିଡେନ୍ସିଆଲ୍ ଏଜଡ କେୟାରରେ ଜିନ୍ ନିଜର ୧୦୦ତମ ଜନ୍ମଦିନ ପାଳନ କରୁଥିବାବେଳେ ୩ ଜଣ କନଷ୍ଟେବଳ ଏଣ୍ଟ୍ରି କଲେ । ସେମାନେ ତାଙ୍କ ହାତରେ ହାତକଡ଼ି ପକାଇଲେ ଏବଂ ଔପଚାରିକ ରୂପେ ତାଙ୍କୁ ଗିରଫ କରିଥିବା ଘୋଷଣା କଲେ ।’ ଜିନଙ୍କୁ ପୁଲିସ ଅଧିକାରୀ ୧୦୦ତମ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଲେ । ଏହାକୁ ଜୀବନର ସର୍ବଶ୍ରେଷ୍ଠ ସେଲିବ୍ରେସନ୍ ବୋଲି ଜିନ୍ କହିଛନ୍ତି ।