ନୋଏଡା : ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ ଆପାର୍ଟମେଣ୍ଟରେ କାର୍ଯ୍ୟରତ ଜଣେ ସିକ୍ୟୁରିଟୀ ଗାର୍ଡଙ୍କୁ ଅଯଥାରେ ଗାଳିଗୁଲଜ ଏବଂ ଧକ୍କା ମାରିଥିବା ଅଭିଯୋଗରେ ପୁଲିସ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଜଣେ ସଂଭ୍ରାନ୍ତ ମହିଳାଙ୍କୁ ଗିରଫ କରିଛି । ଘଟଣା ଅନୁଯାୟୀ ଭବ୍ୟା ରାୟ ନାମ୍ନୀ ଏହି ମହିଳା ୧୨୬ ନମ୍ବର ସେକ୍ଟରରେ ଥିବା ଜେପି ୱିସ୍ଟାଉନ ସୋସାଇଟିର ଏକ ଆପାର୍ଟମେଣ୍ଟରେ ବାସ କରନ୍ତି । ରବିବାର ଅପରାହ୍ନରେ ଭବ୍ୟା କାର୍ ଡ୍ରାଇଭ କରି ବାହାରକୁ ଯିବାକୁ ଉଦ୍ୟତ ହେଉଥିବାବେଳେ ଫାଟକ ବନ୍ଦ ଥିବା ଲକ୍ଷ୍ୟ କରିଥିଲେ । ଦାୟିତ୍ୱରେ ଥିବା ଅନୁପ କୁମାର ନାମକ ସିକ୍ୟୁରିଟୀ ଗାର୍ଡ ଫାଟକ ଖୋଲିବାରେ ସାମାନ୍ୟ ବିଳମ୍ବ କରିଥିବାରୁ ଭବ୍ୟା ଉତ୍କ୍ଷିପ୍ତ ହୋଇପଡିଥିଲେ ।
କାର୍ରୁ ଓହ୍ଲାଇ ସେ ଅନୁପଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ସାର୍ଟ କଲାର ଧରି ଘୋଷାଡି ନେଇଥିଲେ । ସୋସାଇଟୀର ନିୟମ ଅନୁଯାୟୀ ଆପାର୍ଟମେଣ୍ଟକୁ ଆସୁଥିବା କିମ୍ବା ବାହାରକୁ ଯାଉଥିବା ସବୁ ଗାଡିର ରେଜିଷ୍ଟ୍ରେସନ ନମ୍ବର ରେକର୍ଡ କରିବାକୁ ସିକ୍ୟୁରିଟୀ ଗାର୍ଡଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ରେଜିଷ୍ଟରରେ ଗାଡି ନମ୍ବର ଲେଖୁଥିବାରୁ ଫାଟକ ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇଥିଲା ବୋଲି ଅନୁପ କହିଛନ୍ତି । ଏହି ଘଟଣା ପରେ ଥାନାରେ ଏତଲା ଦାଏର କରାଯାଇଥିଲା । ଘଟଣା ସମୟରେ ଭବ୍ୟା ନିଶାସକ୍ତ ଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭବ୍ୟାଙ୍କୁ ଥାନାକୁ ନେଇ ଜେରା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଭବ୍ୟାଙ୍କର ସମ୍ପୂର୍ଣ୍ଣ ଦୋଷ ରହିଥିବାରୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୫୩, ୩୨୩, ୫୦୪ ଓ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବାପରେ ଭବ୍ୟାଙ୍କୁ ୧୪ ଦିନ ପାଇଁ ପୁଲିସ ହାଜତକୁ ପଠାଯାଇଛି । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।