ଟୋକିଓ: କୋଭିଡ-୧୯ ମହାମାରୀ ପରେ ଜାପାନରେ ଏକ ଅସ୍ୱାଭାବିକ ସମସ୍ୟା ସୃଷ୍ଟି ହୋଇଛି । ଯୁବ ବର୍ଗର ଲୋକମାନେ ପର୍ଯ୍ୟାପ୍ତ ମଦ୍ୟପାନ କରୁନାହାନ୍ତି । କିଛି ଲୋକ ଏହି କୁଅଭ୍ୟାସ ଛାଡ଼ିଦେଇଛନ୍ତି । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହା ନିଶ୍ଚିତପକ୍ଷେ ଭଲ ଖବର । କିନ୍ତୁ ପକେଟ୍କୁ ବାଧିବାରୁ ଏହାକୁ ନେଇ ଜାପାନ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଯୁବ ବର୍ଗର ଲୋକମାନଙ୍କୁ ଅଧିକ ମାତ୍ରାରେ ମଦ ପିଇବାକୁ ସରକାର ଆହ୍ୱାନ ଦେଇଛନ୍ତି । ଦେଶର ଯୁବପିଢ଼ି ପର୍ଯ୍ୟାପ୍ତ ମାତ୍ରାରେ ମଦ୍ୟପାନ କରୁ ନ ଥିବାରୁ ବିକ୍ରି ଆଶାତୀତ କମିଛି । ଫଳରେ ସରକାରଙ୍କ ପକେଟ୍କୁ ବାଧୁଛି । ଟିକସ ରାଜସ୍ୱ କମିବା ଯୋଗୁ ଚିନ୍ତା ବଢ଼ିଯାଇଛି । ତେଣୁ ଯୁବ ଗୋଷ୍ଠୀର ଲୋକମାନେ ଅଧିକ ମଦ ପିଅନ୍ତୁ ବୋଲି ସରକାର ଚାହୁଁଛନ୍ତି । ଏଥିପାଇଁ ସେମାନଙ୍କୁ କିଭଳି ପ୍ରୋତ୍ସାହିତ କରାଯିବ, ତାହାର ବାଟ ଖୋଜିବାକୁ ଚେଷ୍ଟା ଚଳାଇଛନ୍ତି । କରୋନା କଟକଣା ଯୋଗୁ ଜାପାନରେ ବାର୍ ଏବଂ ଅନ୍ୟ ମଦ ଦୋକାନଗୁଡ଼ିକରେ ମଦ ବିକ୍ରି ଅତିମାତ୍ରାରେ ହ୍ରାସ ପାଇଛି । ଏହାଯୋଗୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ଜାପାନର ମଦ ଟିକସ ଆୟ ତଳମୁହାଁ ହୋଇଛି । କରୋନା ବେଳେ ଦୋକାନ ବନ୍ଦ ରହିବାରୁ ଅନେକ ଲୋକ ବାଧ୍ୟହୋଇ ମଦ ଛାଡ଼ିଦେଇଥିଲେ । ସ୍ଥିତି ସ୍ୱାଭାବିକ ହେବା ପରେ ସେମାନେ ଆଉ ଆଗ ଭଳି ପିଇବାକୁ ଆଗ୍ରହ ଦେଖାଉ ନାହାନ୍ତି ।
ସୂତ୍ର ମୁତାବକ, ଅଧିକ ମଦ୍ୟପାନ ପାଇଁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରତିଯୋଗିତା ହେବ । ନ୍ୟାସନାଲ ଟ୍ୟାକ୍ସ ଏଜେନ୍ସି ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ମଦ ପିଇବାକୁ କେମିତି ଯୁବପିଢ଼ିଙ୍କୁ ଉତ୍ସାହିତ କରାଯାଇ ପାରିବ, ତାହା ନେଇ ପରାମର୍ଶ ଦେବା ପାଇଁ ଏହି ଅଭିଯାନରେ ଲୋକଙ୍କୁ ଆହ୍ୱାନ କରାଯାଇଛି । ମଦ ବିକ୍ରି ବଢ଼ାଇବା ଲାଗି ନୂଆ ସେବା, ପ୍ରୋତ୍ସାହନମୂଳକ ପଦ୍ଧତି, ଉତ୍ପାଦ ଡିଜାଇନ ଏବଂ ବିକ୍ରି କୌଶଳ ଆଦି ବାବଦରେ ୠଠନମୂଳକ ପରାମର୍ଶ ଦେଲେ ଲୋକଙ୍କୁ ପୁରସ୍କୃତ କରାଯିବ । ଜାପାନରେ ମଦ୍ୟପାନ ହାର କମିବା ପଛରେ ଅନ୍ୟ କାରଣ ବି ଦାୟୀ । ଜନ୍ମ ହାର କମିବା, ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବା ଏବଂ କୋଭିଡ ଯୋଗୁ ଜୀବନଶୈଳୀ ବଦଳିବା ଆଦି ପ୍ରମୁଖ କାରଣ ରହିଛି ।
ମଦ କାରବାରରେ ନୂଆ ଜୀବନ ଭରିବା ପାଇଁ ପ୍ରତିଯୋଗିତା ଆରମ୍ଭ କରାଯିବ । ସବୁ ପ୍ରକାର ମଦ ବିକ୍ରି କିଭଳି ବଢ଼ିପାରିବ, ତାହା ନେଇ ମତାମତ ଦେବାକୁ କୁହାଯାଇଛି । ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଲୋକମାନେ ମତାମତ ଦେଇପାରିବେ । ଅକ୍ଟୋବରରେ ଫାଇନାଲିଷ୍ଟମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ନଭେମ୍ବରରେ ରାଜଧାନୀ ଟୋକିଓରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ । ଜାପାନର ଏଭଳି ପ୍ରତିଯୋଗିତା ନେଇ ଟ୍ୱିଟରରେ କିଛି ଲୋକ ସୂଚନା ଦେବା ପରେ ଜଣେ ୟୁଜରଲେଖିଛନ୍ତି, ‘ମୋତେ କ’ଣ ପିଲା ଭାବୁଛ? ମଦଠାରୁ ଦୂରେଇ ରହିବା ହିଁ ସବୁଠୁ ଭଲ କଥା ।
ସରକାରୀ ଏଜେନ୍ସି ହୋଇ ଏଭଳି ପ୍ରତିଯୋଗିତା କରିବା ଅନୁଚିତ ବୋଲି ଅଧିକାଂଶ ଟ୍ୱିଟର୍ ୟୁଜର କହିଛନ୍ତି । ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ଅତ୍ୟଧିକ ମଦ୍ୟପାନ ନେଇ ଲୋକଙ୍କୁ ସତର୍କ କରାଇଥିଲା ବେଳେ ଏବେ ରାଜସ୍ୱ ଫାଇଦା ପାଇଁ ଲୋକଙ୍କୁ ମଦ ପିଇବାକୁ ଉତ୍ସାହିତ କରାଯିବା ପରିତାପର ବିଷୟ ବୋଲି ଜଣେ ଟ୍ୱିଟର୍ ୟୁଜର ଲେଖିଛନ୍ତି । ସୂଚନାଯୋଗ୍ୟ, ୧୯୮୦ରେ ଜାପାନର ମୋଟ ଟିକସ ରାଜସ୍ୱରେ ମଦ ଟିକସ ଭାଗ ୫% ଥିଲା । ୨୦୧୧ରେ ଏହା ୩%କୁ ହ୍ରାସ ପାଇଥିଲା ବେଳେ ୨୦୨୧ରେ ଏହା ୧.୭%କୁ ଖସିଆସିଛି । ୨୦୨୧ରେ ସରକାର ମଦ ବିକ୍ରିରୁ ୮୧୦ କୋଟି ଡଲାର ବା ୧.୧ ଲକ୍ଷ କୋଟି ୟେନ୍ ରାଜସ୍ୱ ହାସଲ କରିଛନ୍ତି । କରୋନା ବେଳେ ଏସୀୟ ଦେଶଗୁଡ଼ିକ କଠୋର କଟକଣା ଲଗାଇଥିଲେ । ଜାପାନ ବି ଏଥିରୁ ବାଦ୍ ପଡ଼ି ନ ଥିଲା । ୨୦୨୧ ଅକ୍ଟୋବରରେ ଜାପାନ ଜରୁରି ସ୍ଥିତି ହଟାଇଥିଲା । ରେସ୍ତୋରାଁଗୁଡ଼ିକୁ ପୁଣି ମଦ ବିକ୍ରି ପାଇଁ ଅନୁମତି ଦେଇଥିଲା । କିନ୍ତୁ ଚଳିତବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର କିଛି ରାଜ୍ୟରେ କଟକଣା ଜାରି ରହିଥିଲା । ଦେଶର ପ୍ରାୟ ୩୦% ଲୋକ ସେମାନଙ୍କ ୪୦ରୁ ୬୦ ବର୍ଷ ବୟସରେ ନିୟମିତ ମଦ୍ୟପାନ କରିଥାନ୍ତି ।