ଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ବିଗତ ୬ ମାସ ହେବ ଭୀଷଣ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ହଜାର ହଜାର ଶିଶୁଙ୍କ ସମେତ ଅନ୍ୟମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ହେବା କାରଣରୁ ବିଶ୍ୱର ଅର୍ଥନୀତି ଉପରେ ଘୋର ପ୍ରଭାବ ପଡ଼ିଛି । ଏବେ ଏହି ଯୁଦ୍ଧକୁ ନେଇ ବିଶ୍ୱବାସୀ ଚିନ୍ତିତ ଥିବା ବେଳେ ଚୀନ୍ ଓ ତାଇୱାନ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି, ଯେଉଁଥି ପାଇଁ ସମସ୍ତଙ୍କର ଭାଲେଣୀ ପଡ଼ିଛି । ଚୀନ୍ ଓ ତାଇୱାନ୍ ମଧ୍ୟରେ ଦେଖାଯାଇଥିବା ବିବାଦ ଦିନିକୁ ଦିନ ଉଗ୍ର ରୂପ ନେଉଛି । ତାଇୱାନ୍କୁ ଡରାଇବା ପାଇଁ ଚୀନ ମିସାଇଲ ମାଡ଼ କରିବା ସହିତ ୧୦୦ ଲଢୁଆ ବିମାନ ଉଡାଇଛି । ତେବେ କେତେବେଳେ ଯେ କ’ଣ ଘଟିବା ତାହା କେହି କହିପାରିବେ ନାହିଁ ।
ପିପୁଲ ଲିବ୍ରେଶନ ଆର୍ମି (ପିଏଲଏ)ର ନାଭାଲ ରିସର୍ଚ୍ଚ ଏକାଡେମିରେ କାର୍ଯ୍ୟରତ ଗବେଷକ ଝାଙ୍ଗ ଜୁନ୍ଶେ ଚୀନ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ, ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସେନାର ବଡ଼ ଡ୍ରିଲ ଚାଲିବ । ଏହି ଅଭ୍ୟାସରେ ଚୀନ ଦ୍ୱାରା ଏକ ନ୍ୟୁକ୍ଲିୟର ସବମରୀନକୁ ମଧ୍ୟ ମୁତୟନ କରାଯିବ । ଏହି ଅଭ୍ୟାସରେ ସମସ୍ତ ଥିଏଟର କମାଣ୍ଡ ଅଂଶଗ୍ରହଣ କରିବେ । ଅର୍ଥାତ ଚୀନ ଏକ ବଡ଼ଧରଣର ସେନା ଅଭ୍ୟାସ କରିବ । ଏହାର ଅର୍ଥ ତାଇୱାନକୁ ଚେତାବନୀ ଦେବା ।
ତାଇୱାନକୁ ଚୀନ ଡରାଉଛି । କିନ୍ତୁ ତାଇୱାନ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଚୀନ ଆଗରେ ସହଜରେ ଆତ୍ମସମର୍ପଣ କରିବା ଭଳି ସ୍ଥିତିରେ ନାହିଁ । ନିଜ ଦେଶକୁ ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି । ତାଇୱାନର ରାଷ୍ଟ୍ରପତି ଏକ ବୟାନରେ କହିଛନ୍ତି ଯେ, ଚୀନ ଏହି ସମୟରେ ତାଇୱାନର ଆଖପାଖ ଅଞ୍ଚଳରେ ସେନା ଅଭ୍ୟାସ କରୁଛି । ବେଜିଂରୁ ସଂଯମତାର କାମ କରୁ ବୋଲି ସେ ଅପିଲ କରିଛନ୍ତି । ତାଇୱାନ ବିବାଦକୁ ବଢ଼ାଇବା ପାଇଁ ଚାହୁଁନାହିଁ । କିନ୍ତୁ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବ ।