ଭୁବନେଶ୍ବର : ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯାଇଛି। ଇଏନ୍ଟି, ଜେନେରାଲ ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଗାଏନୋକଲୋଜି ଅଙ୍କୋଲୋଜି, ରେଡିଓଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆନେସ୍ଥେସିଓଲୋଜି, ଚର୍ମ, ଫାର୍ମାକଲୋଜି, ଜେନେରାଲ ସର୍ଜରୀ, ଚକ୍ଷୁ, ନେଫ୍ରୋଲୋଜି, ମାନସିକ ରୋଗ, ବାୟୋକେମିଷ୍ଟ୍ରି, ଅସ୍ଥିଶଲ୍ୟ ଆଦି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିଥିବା ଏହି ଡ଼ାକ୍ତରମାନଙ୍କ ନିଯୁକ୍ତି ପରେ ସ୍ୱାସ୍ଥ୍ୟସେବା ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ପିଜି ଡାକ୍ତରମାନଙ୍କୁ ଏସ୍ସିବି, ଏମ୍କେସିଜି ଏବଂ ଭିମସାର ବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା ବାରିପଦା ପିଆରଏମ୍ ମେଡିକାଲ କଲେଜ, ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, କୋରାପୁଟ ସ୍ଥିତ ଏସ୍ଏଲ୍ଏନ୍ ମେଡିକାଲ କଲେଜ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍ରେ ନିଯୁକ୍ତି ମିଳିଛି। ଚଳିତ ମାସ ୨୨ ତାରିଖରେ ରାଜ୍ୟ ସରକାର ୩୫୮ ଏଲୋପାଥିକ୍ ମେଡିକାଲ ଅଫିସର, ୧୧୬ ହୋମିଓପାଥିକ୍ ମେଡିକାଲ ଅଫିସର ଏବଂ ୩୬ ହୋମିଓପାଥିକ୍ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିଲେ।