ମଶସ: ଗତ କିଛିବର୍ଷ ଧରି ନଗଦ ଅଭାବ କାରଣରୁ ଚୀନ୍ର ରିୟଲ୍ ଇଷ୍ଟେଟ୍ ସେକ୍ଟର କ୍ରାସ୍ କରିବା ଯୋଗୁଁ ଏସିଆର ସବୁଠୁ ଧନୀ ମହିଳା ୟାଙ୍ଗ୍ ହୁଇୟାନ୍ଙ୍କ ସମ୍ପତ୍ତି ଅଧା ହ୍ରାସ ପାଇଛି ବୋଲି ଗୁରୁବାର ଏକ ବିଲିୟନର୍ ଇଣ୍ଡେକ୍ସରେ ଦର୍ଶାଯାଇଛି । ରିୟଲ୍ ଇଷ୍ଟେଟ୍ କ୍ରାସ୍ ଯୋଗୁଁ ଗତ ଏକବର୍ଷ ମଧ୍ୟରେ ଚୀନ୍ର ପ୍ରପର୍ଟି ଜାଏଣ୍ଟ କଣ୍ଟ୍ରି ଗାର୍ଡେନ୍ର ବୃହତ୍ ଶେୟାର୍ ହୋଲ୍ଡର୍ ୟାଙ୍ଗ୍ ହୁଇୟାନ୍ଙ୍କ ନେଟ୍ ସମ୍ପତ୍ତି ମୂଲ୍ୟରେ ୫୧ ପ୍ରତିଶତରୁ ଅଧିକ ହ୍ରାସ ଘଟି ଏହା ୨୩.୭ ବିଲିୟନ୍ ଡଲାରୁ ୧୧.୩ ବିଲିୟନ୍ ଡଲାରକୁ ଖସି ଆସିଛି । ବ୍ଲୁମ୍ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁସାରେ କମ୍ପାନୀ ନଗଦ ଅର୍ଥ ଯୋଗାଡ଼ ପାଇଁ ନୂଆ ଶେୟାର୍ ବିକିବ ବୋଲି ଘୋଷଣା କରିବା ପରେ ଗୁଆଙ୍ଗ୍ଡୋଙ୍ଗ୍ ଆଧାରିତ କଣ୍ଟ୍ରି ଗାର୍ଡେନ୍ର ହଂକଂରେ ଲିଷ୍ଟ୍ ହୋଇଥିବା ଶେୟାର୍ରେ ବୁଧବାର ୧୫% ହ୍ରାସ ଘଟିବା ଫଳରେ ହୁଇୟାନ୍ଙ୍କୁ ଜୋର୍ଦାର ଧକ୍କା ଲାଗିଥିଲା । କଣ୍ଟ୍ରି ଗାର୍ଡେନ୍ର ପ୍ରତିଷ୍ଠାତା ତାଙ୍କ ପିତା ୟାଙ୍ଗ୍ ଗୁଓକିଆଙ୍ଗ୍ ୨୦୦୫ରେ ନିଜ ଶେୟାର୍ ତାଙ୍କୁ ଟ୍ରାନ୍ସଫର୍ କରିବା ପରେ ସେ ଏହି ସମ୍ପତ୍ତିର ଅଧିକାରୀ ହୋଇଥିଲେ । ଏହାର ଦୁଇବର୍ଷ ପରେ ସେ ଏସିଆର ସବୁଠୁ ଧନୀ ମହିଳା ହେବାର ଗୌରବ ଅର୍ଜନ କରିଥିଲେ । ଏବେ ତାଙ୍କ ଆସନ ପ୍ରତି ବିପଦ ସୃଷ୍ଟି ହୋଇଛି । କେମିକାଲ୍ ଫାଇବର୍ସ ଟାଇକୁନ୍ ଫାନ୍ ହୋଙ୍ଗ୍ୱେଲ୍ ୧୧.୨ ବିଲିୟନ୍ ଡଲାର ନିଟ୍ ସମ୍ପତ୍ତି ସହିତ ତାଙ୍କର ନିକଟବର୍ତ୍ତୀ ହୋଇଛନ୍ତି ।