ଭୁବନେଶ୍ୱର: ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧାରଣଲୋକଙ୍କ ଠାରୁ ଆରମ୍ଭ ବଡ଼ବଡ଼ିଆ ଠକଙ୍କ ଶିକାର ହେଉଛନ୍ତି । ଏହିକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ସାଇବର ଠକ ଟାର୍ଗେଟ୍ କରିଛନ୍ତି । ତାଙ୍କ ଫଟୋ ବ୍ୟବହାର କରି ଜାଲି ହ୍ୱାଟ୍ସଆପ୍ ଆକାଉଣ୍ଟ(୯୩୧୫୬୪୧୭୮୪) ଖୋଲି ସହକର୍ମୀ ଏବଂ ବନ୍ଧୁଙ୍କୁ ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଫିସ ପକ୍ଷରୁ ସାଇବର ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଏହି ସବୁ ମେସେଜ୍ ନକଲି । ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୌଣସି ବିଲ୍ ପୈଠ ବା କୌଣସି ଆକାଉଣ୍ଟକୁ ଟଙ୍କା ପଠାଇବାକୁ ହ୍ୱାଟ୍ସଆପ୍ ଜରିଆରେ କାହାରିକୁ କୁହାଯାଇନାହିଁ । ଏପରି ମେସେଜ୍ ପ୍ରତି ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି । ଏମିତି କୌଣସି ମେସେଜ୍ ପାଇବା ମାତ୍ରକେ ନିକଟତମ ସାଇବର ଥାନା କିମ୍ବା ପୁଲିସ ଥାନାରେ ଅଭିଯୋଗ କରନ୍ତୁ । ଏପରି ଜାଲି ମେସେଜ୍ ଭିତ୍ତିରେ କେହି କୌଣସି କାରବାର କଲେ ସେଥିପାଇଁ ମୁଖ୍ୟ ଶାସନ ସଚିବ ଦାୟୀ ରହିବେ ନାହିଁ ।