ବାଲିଗୁଡା : ଆସନ୍ତା ୨୮ରୁ ୪ ତାରିଖ ଯାଏ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ । ଏହି ପରିପ୍ରେକ୍ଷୀରେ ସହିଦ ସପ୍ତାହ ପୂର୍ବରୁ କନ୍ଧମାଳର କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁମାଠାରେ ମାଓପୋଷ୍ଟର ଦେଖିବାକୁ ମିଳିଛି । ଏ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ରଡ଼ିଗୁମା ଉପ ସ୍ୱାସ୍ଥ୍ୟକେନ୍ଦ୍ର ପାଚେରିରେ ଦୁଇଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଛକରେ ଗୋଟିଏ ଲେଖାଏଁ ମାଓ ପୋଷ୍ଟର ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ଏ ସବୁ ପୋଷ୍ଟରରେ ରଡ଼ିଗୁମାର ରମେଶ ନାୟକ ଓ ଓଁଡାଙ୍ଗମାଳର ଜଣଙ୍କ ନାମରେ ଚେତାବନୀ ଦିଆଯାଇଛି । ସେଥିରେ ପୁଲିସର ଇନଫର୍ମର ନ ସାଜିବା, ଝିଅବୋହୂଙ୍କ ବଦନାମ ହେଲା ପରି କାମ ନ କରିବା, ଆଦି ଜନ ବିରୋଧୀ କାର୍ଯ୍ୟ ନକରିବା କୁହାଯିବା ସହ ଅଞ୍ଚଳ ଛାଡ଼ି ଚାଲିଯିବା ଲାଗି ଧମକ ମଧ୍ୟ ଦିଆଯାଇଛି ।
ଏକଥା ନ ଶୁଣିଲେ ଜନ ଅଦାଲତରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ତଳେ ସିପିଆଇ ମାଓବାଦୀ, ବାଘଉନା ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି । ଆଗକୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାରୁ ଏ ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି । ତେଣୁ ମାଓ ଇଲାକା ଦେଇ ଯାଉଥିବା ସମସ୍ତ ସରକାରୀ ବସ୍ ସେବା ଯାତାୟାତ ବନ୍ଦ ରହିବ ବୋଲି ଜଣାପଡିଛି । ପୁଲିସ ମଧ୍ୟ ମାଓ ଇଲାକା କୁହାଯାଉଥିବା କୋଟଗଡ଼, ତୁମୁଡିବନ୍ଧ, ବେଲଘର, ଫିରିଙ୍ଗିଆ, ଗୋଛାପଡା, ବାଲିଗୁଡା, ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ ଆଦି ଥାନା ଅଞ୍ଚଳରେ ସତର୍କ ଦୃଷ୍ଟି ରଖିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଥିବା ବିଷୟ କନ୍ଧମାଳର ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।