ଭୁବନେଶ୍ୱର: ବହୁଚର୍ଚ୍ଚିତ ରେଲୱେ ଇଞ୍ଜିନିୟର ବିନାୟକ ବେହେରାଙ୍କୁ ହତ୍ୟା କରିବା ଲାଗି ପତ୍ନୀ ସିଲସିଲା ବେହେରା ଡ୍ରାଇଭର ସହ ମିଶି ଷଡଯନ୍ତ୍ର ଘଟଣା ଏବେ ଭିନ୍ନ ମୋଡ ନେଇଛି । ଅଭିଯୋଗ ଆଣିଥିବା ସ୍ୱାମୀଙ୍କ ନାମରେ ପତ୍ନୀ ସିଲସିଲା ବଡ଼ଗଡ ଥାନାରେ ଏତଲା ଦେଇଛନ୍ତି । ସ୍ୱାମୀ ବିନାୟକ ଦୁଇଜଣ ଲୋକଙ୍କ ସହ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସେ ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗ ଅନୁସାରେ, ଶୁକ୍ରବାର ସିଲ୍ସିଲା ଧଉଳି ସ୍ଥିତ ଘରୁ ଫେରୁଥିଲେ । ଏହି ସମୟରେ ମାଉସୀ ମା’ ମନ୍ଦିର ନିକଟରେ ଛିଡା ହୋଇଥିବା ତାଙ୍କର ସ୍ୱାମୀ ବିନାୟକ ଅଟକାଇଥିଲେ । ପରେ ବିନାୟକ ଓ ତାଙ୍କ ୨ଜଣ ସହଯୋଗୀ ମିଶି ସିଲ୍ସିଲା ଓ ତାଙ୍କ ପୁଅକୁ ରଡ ସାହାଯ୍ୟରେ ଆକ୍ରମଣ କରିଥିଲେ ।
ଏଥିରେ ସିଲସିଲାଙ୍କ ପୁଅ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୬ ତାରିଖରେ ସିଲ୍ସିଲାଙ୍କ ସ୍ୱାମୀ ବିନାୟକ ବେହେରା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ଯେ, ମଞ୍ଚେଶ୍ୱରସ୍ଥିତ ଘରକୁ ଫେରୁଥିବାବେଳେ ୨ଜଣ ଯୁବକ ତାଙ୍କୁ ଅଟକାଇ ଜଗନ୍ନାଥ ମନ୍ଦିର ନିକଟରେ ରଡ୍ରେ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କର ଡାହାଣ ଗୋଡ ଭାଙ୍ଗିବା ସହ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଡ୍ରାଇଭର ଅଶୋକ ସାହୁଙ୍କୁ ଅଭିଯୋଗର ମାସକ ପରେ ଗିରଫ କରିଥିଲା। ଏଥିସହ ସ୍ୱାମୀ ବିନାୟକଙ୍କୁ ମାରିବା ଲାଗି ଡ୍ରାଇଭର ଅଶୋକଙ୍କୁ ପତ୍ନୀ ସିଲସିଲା ସୁପାରୀ ଦେଇଥିବା ଜଣାପଡ଼ିଥିଲା। ଫେରାର ଥିବା ସିଲସିଲା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୁଲିସ କହିଥିଲା ।
କିନ୍ତୁ ମୁଖ୍ୟ ଅଭିଯୁକ୍ତ ସିିଲସିଲାଙ୍କୁ ଗିରଫ କରିବାକୁ ପୁଲିସର ହାତ ଯାଇନଥିଲା । ଗୋଟିଏ ପଟେ ପୁଲିସ ଫେରାର ଥିବା କହୁଥିବାବେଳେ ଅନ୍ୟପଟେ ସିଲସିଲା ବିଭିନ୍ନ ଗଣମାଧ୍ୟମରେ ସାମ୍ନାରେ ସ୍ୱାମୀଙ୍କ ନାମରେ ପାଲଟ ଅଭିଯୋଗ ଆଣି ପ୍ରତିକ୍ରିୟା ରଖୁଥିବାରୁ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲିଟିଥିଲା। ସେପଟେ ଗତ ମେ’ ୯ ତାରିଖରେ ଅଗ୍ରୀମ ଜାମିନ ପାଇଁ ସିଲ୍ସିଲା ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସ୍ୱାମୀଙ୍କୁ ହତ୍ୟା କରିବାକୁ ସିଲ୍ସିଲା ନିଜେ ସାମିଲ ରହି ଷଡଯନ୍ତ୍ର ରଚିଥିବାରୁ କୋର୍ଟ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । କେବଳ ଏତିକି ନୁହେଁ ପୂର୍ବରୁ ମଧ୍ୟ ସିଲସିଲା ମାନବାଧିକର ଲୋଗୋ ଲଗାଇ ଟଙ୍କା ଆଦାୟ କରୁଥିବା ଘଟଣା ସାମ୍ନାକୁ ଆସିଥିଲା ।