ନୂଆଦିଲ୍ଲୀ: ଦେଶରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ମାମଲା ୨୦ ହଜାର ଅତିକ୍ରମ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୧,୫୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୧୮,୨୯୪ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୧,୫୦,୪୩୪କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ମୋଟ ୪୫ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ସକ୍ରିୟ ମାମଲା ପାଖାପାଖି ଦେଢ ଲକ୍ଷ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୮,୮୮୧କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୪.୨୫%ରେ ପହଞ୍ଚିଛି । ଏବେସୁଦ୍ଧା ସମୁଦାୟ ୫,୨୫,୮୭୦ ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ ୨୦୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୯,୧୨,୮୫୫ ଜଣଙ୍କୁ ଟିକା ଦିଆଯାଇଛି ।