ବ୍ରହ୍ମପୁର: ଜନୈକା ନାବାଳିକା ପୀଡ଼ିତା ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ସୁନାବେଢାର ରୋହନ ଦେଉଳାପାଡିଆ ଓରଫ ଅରୁଣ(୨୦) । ଅଭିଯୁକ୍ତ ରୋହନଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଅପହୃତ ନାବାଳିକାକୁ ପୁଲିସ ସୁନାବେଡ଼ାରୁ ଉଦ୍ଧାର କରିଛି । ଆଜି ଉଭୟ ପୀଡ଼ିତା ଓ ଦୁଷ୍କର୍ମକାରୀଙ୍କୁ ଏମ୍କେସିଜିରେ ଡାକ୍ତରୀ ମଇନା କରାଯାଇଛି । ସେହିପରି କୋର୍ଟରେ ପୀଡ଼ିତା ଛାତ୍ରୀଙ୍କ ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯାଇଛି । ପ୍ରକାଶ ଯେ ଗତ ଜୁନ ୬ ତାରିଖରେ ସୁନାବେଡ଼ା ଅଞ୍ଚଳର ଏକ ଦମ୍ପତି ନିଜର ନାବାଳିକା ଝିଅକୁ ସହିତ ବ୍ରହ୍ମପୁର ପ୍ରେମନଗରରେ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ।
ସେହି ଦିନ ମଧ୍ୟାହ୍ନରେ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ସେମାନେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଇଥିଲା । ଅପହର୍ତ୍ତା ଜଣଙ୍କ ନାବାଳିକା ଛାତ୍ରୀଙ୍କୁ ନେଇ ସୁନାବେଡ଼ା ଆସିଥିବା ପୁଲିସ ଖବର ପାଇଥିଲା । ଏକ ପୁଲିସ ଟିମ୍ ମଙ୍ଗଳବାର ରାତ୍ର ସୁନାବେଡ଼ାରେ ପହଞ୍ଚି ପୀଡ଼ିତା ଛାତ୍ରୀଙ୍କୁ ଅପହରଣକାରୀଙ୍କ ଘରୁ ଉଦ୍ଧାର କରିଥିଲା । ସେହିପରି ଦୁଷ୍ମର୍ମକାରୀଙ୍କୁ ମଧ୍ୟ କାବୁ କରିଥିଲା ବୋଲି ପୁଲିସ କହିଛି । ନାବାଳିକା ଛାତ୍ରୀଙ୍କୁ ପ୍ରେମନଗର ଅଞ୍ଚଳରୁ ଅପହରଣ କରି ଯୁବକ ଜଣଙ୍କ ଆନ୍ଧ୍ରପ୍ରଦେଶର ବିଜୟାବାଢାରେ ଏକ ଘର ଭଡ଼ା ନେଇ ରଖିଥିଲା । ସେଠାରେ ନାବାଳିକାଙ୍କ ଅନିଚ୍ଛାସତ୍ତ୍ୱେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ବିଶାଖାପାଟଣା ନେଇ ସେଠାରେ ମଧ୍ୟ ଦୁ୍କର୍ମ କରିଥିବା ପୁଲିସ ଜେରା ବେଳେ ଜାଣିବାକୁ ପାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।