ଦୁବାଇ: ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ର୍ୟାଙ୍କିଙ୍ଗ୍ରେ ଭାରତୀୟ ଖେଳାଳିଙ୍କୁ ଧକ୍କା ଲାଗିଛି । ଗତ ସପ୍ତାହରେ ବୋଲିଂ ସୂଚୀରେ ଶୀର୍ଷସ୍ଥାନକୁ ଫେରିଥିବା ପେସର୍ ଜସ୍ପ୍ରୀତ୍ ବୁମ୍ରା ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ବେଳେ ବ୍ୟାଟିଂ ସୂଚୀରେ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ତଳକୁ ଖସିଛନ୍ତି । ପିଠିରେ ଯନ୍ତ୍ରଣା କାରଣରୁ ମାଞ୍ଚେଷ୍ଟର୍ ଦିନିକିଆ ଖେଳିନଥିବା ବୁମ୍ରାଙ୍କୁ ଗୋଟିଏ ରେଟିଂ ପଏଣ୍ଟ ପଛରେ ପକାଇ ନ୍ୟୁଜିଲାଣ୍ଡ ପେସର୍ ଟେଣ୍ଟ୍ ବୋଲ୍ଟ ପୁଣିଥରେ ଶୀର୍ଷକୁ ଉଠିଛନ୍ତି । ବ୍ୟାଟିଂରେ ପାକିସ୍ତାନ କ୍ୟାପ୍ଟେନ୍ ବାବର ଆଜମ୍ ପୂର୍ବପରି ଶୀର୍ଷସ୍ଥାନରେ କାଏମ ରହିଥିବା ବେଳେ ବାଂଲାଦେଶ ଷ୍ଟାର୍ ଖେଳାଳି ସାକିବ୍ ଅଲ୍ ହସନ୍ ଅଲ୍ରାଉଣ୍ଡର୍ ସୂଚୀ ଶୀର୍ଷରେ ରହିଛନ୍ତି । ଅନ୍ୟପକ୍ଷରେ ଭାରତୀୟ କ୍ୟାପ୍ଟେନ୍ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଗୋଟିଏ ଲେଖାଏଁ ସ୍ଥାନର କ୍ଷତି ହୋଇଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଥିôବା ସାଉଥ୍ ଆଫ୍ରିକାର ରାସି ଭାନ୍ ଡର୍ ଡୁସେନ୍ ତିନିଟି ସ୍ଥାନର ସୁଧାର ସହ ତୃତୀୟକୁ ଉଠିଛନ୍ତି । ସାଉଥ୍ ଆଫ୍ରିକାର କ୍ୱିଣ୍ଟନ୍ ଡି କକ୍ ଓ ଇଂଲିଶ ବ୍ୟାଟ୍ସମ୍ୟାନ୍ ଜନ୍ନି ବେୟାର୍ଷ୍ଟୋ ମଧ୍ୟ ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଯାଇଛନ୍ତି । ଗତ ସପ୍ତାହ ପର୍ଯ୍ୟନ୍ତ ଅଲ୍ରାଉଣ୍ଡର୍ ସୂଚୀର ଶୀର୍ଷ ୧୦ରେ କୌଣସି ଭାରତୀୟ ନଥିବା ବେଳେ ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ସହିତ ୪ଟି ୱିକେଟ୍ ହାସଲ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ସ୍ଥାନର ଲମ୍ଫ ପ୍ରଦାନ କରି ଅଷ୍ଟମରେ ପହଞ୍ଚିଛନ୍ତି । ଏହି ସୂଚୀରେ ସେ ଏକମାତ୍ର ଭାରତୀୟ ।