28.1 C
Bhubaneswar
Sunday, October 6, 2024
Homeଓଡିଶାଚିକିତ୍ସା ଅବହେଳାରୁ ଆଶାକର୍ମୀଙ୍କ ମୃତ୍ୟୁ : ସମ୍ପର୍କୀଙ୍କୁ ମାଡ଼ ଅଭିଯୋଗ, ଉତ୍ତେଜନା

ଚିକିତ୍ସା ଅବହେଳାରୁ ଆଶାକର୍ମୀଙ୍କ ମୃତ୍ୟୁ : ସମ୍ପର୍କୀଙ୍କୁ ମାଡ଼ ଅଭିଯୋଗ, ଉତ୍ତେଜନା

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲରେ ପୁଣିଥରେ ଚିକିତ୍ସା ଅବହେଳା ଅଭିଯୋଗ ହୋଇଛି । ଚିକିତ୍ସା ଅବହେଳାରୁ ଜଣେ ଆଶାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କୁ କାର୍ଯ୍ୟରତ କନିଷ୍ଠ ଡାକ୍ତରମାନେ ମାଡ ମାରିଥିବା ଅଭିଯୋଗ ହୋଇଛି। ୨୪ ଘଣ୍ଟାରୁ ଅଧିକ ସମୟ ଏମ୍‌କେସିଜିରେ ରହିଥିଲେ ମଧ୍ୟ ତାଙ୍କ ମାଆଙ୍କୁ କେବଳ କନିଷ୍ଠ ଡାକ୍ତରମାନେ ହିଁ ଚିକିତ୍ସା କରିଥିଲେ । କୌଣସି ଅଭିଜ୍ଞ ଡାକ୍ତର ଚିକିତ୍ସା ପାଇଁ ନଆସିବାରୁ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇତଥିଲା ବୋଲି ପିତବାସ ଅଭିଯୋଗ କରିଛନ୍ତି । ଏମ୍‌କେସିଜିରେ ବାରମ୍ବାର ଚିକିତ୍ସା ଅବହେଳା ଅଭିଯୋଗ ହେଉଥିବା ବେଳେ କନିଷ୍ଠ ଡାକ୍ତରମାନେ ରୋଗୀ ସମ୍ପର୍କୀୟଙ୍କୁ ମାଡ ମାରୁଥିବା

ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଛି । ଏ ଦିଗରେ ଏମ୍‌କେସିଜି କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । ସୂଚନାଯୋଗ୍ୟ ଯେ ପାଟପୁର ଅଞ୍ଚଳର ଜଣେ ଆଶାକର୍ମୀ ସବିତା କୁମାରୀ ପାଣିଗ୍ରାହୀ(୫୫)ଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କ ପରିବାର ଲୋକେ ଗତ କାଲି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେଠାକାର ଡାକ୍ତର ସବିତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଥିବା ବେଳେ ତାଙ୍କୁ କାଜୁଆଲିଟିରେ ଚିକିତ୍ସା କରାଯାଇଥିଲା । ଏହାପରେ ଡାକ୍ତର ସବିତାଙ୍କୁ କାଜୁଆଲିଟିରୁ ମହିଳା ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।

ରାତିରେ ସବିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ସେଠାରେ ଉପସ୍ଥିତ ଥିବା ତାଙ୍କ ପୁଅ ପିତବାସ ପାଣିଗ୍ରାହୀ ସେହି ୱାର୍ଡରେ କାର୍ଯ୍ୟରତ ଡାକ୍ତରଙ୍କୁ ଡାକିଥିଲେ । ହେଲେ ସେଠାକାର ଡାକ୍ତରମାନେ ସବିତାଙ୍କୁ ପୁଣି ଥରେ କାଜୁଆଲିଟି ନେବାକୁ କହି ବାରୁ ପୀତବାସ ନିଜ ମାଆଙ୍କୁ ଧରି ସେଠାକୁ ଯାଇଥିଲେ । କିନ୍ତୁ କାଜୁଆଲିଟିରେ କାର୍ଯ୍ୟରତ ଡାକ୍ତରମାନେ ତାଙ୍କୁ ପୁଣି ୱାର୍ଡକୁ ନେବାକୁ ପରାମର୍ଶ ଦେଇଥିଲେ। ଏହା ଭିତରେ ସବିତାଙ୍କ ମୃତ୍ୟୁ ହୋଇଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ସେ ପ୍ରତିବାଦ କରିବାରୁ ପୀତବାସଙ୍କୁ କିଛି କନିଷ୍ଠ ଡାକ୍ତର ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।

ଏହା ସହ ସରଞ୍ଜାମ ନାହିଁ ବୋଲି କହି ତାଙ୍କ ମାଆଙ୍କୁ କାଜୁଆଲିଟିରୁ ୱାର୍ଡ ଏବଂ ୱାର୍ଡରୁ କାଜୁଆଲିଟିକୁ ପଠାଯିବା ଏବଂ ସଠିକ ସମୟରେ ଚିକିତ୍ସା କରାନଯିବାରୁ ତାଙ୍କର ମୃତ୍ୟୁ ହୋଇଗଲା ବୋଲି ପୀତବାସ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚିକିତ୍ସା ଅବହେଳାରୁ ସବିତାଙ୍କ ମୃତ୍ୟୁକୁ ନେଇ ପିତବାସ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଏମ୍‌କେସିଜି ଫାଣ୍ଡି ପୁଲିସ ଶବଗୃହ ନିକଟରେ ପହଞ୍ଚି ବୁଝାସୁଝା କରି ସବିତାଙ୍କ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking