ଲକ୍ଷ୍ନୌ: ଜାତି ଲୁଚାଇବା ସହ ବିବାହ ପ୍ରଲୋଭନ ଦେଖାଇ ୩ ବର୍ଷ ଧରି ଯୁବତୀଙ୍କୁ ଶାରୀରିକ ଶୋଷଣ କଲେ ଥାନା ବାବୁ । ଘଟଣା ପଦାକୁ ଆସିବା ପରେ ଥାନା ବାବୁ ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶ ଗୋଣ୍ଡାରେ ଘଟିଥିବା ଏହି ଘଟଣାକୁ ଲବ୍ଜହାଦର ନାମ ଦିଆଯାଉଛି । ଗୁରୁବାର ଅଭିଯୁକ୍ତକୁ କୋର୍ଟ ନେବାବେଳେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଗୋଣ୍ଡା ଜିଲ୍ଲାର କୋଟବାଲୀ ନଗର ଥାନାରେ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲା ବସି ଖାନ୍ । ରିଙ୍କୁ ଶୁକ୍ଲା ଭାବରେ ଛଦ୍ମ ନାମ ନେଇ ସେ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା ।
ଏହାକୁ ନେଇ ଅଭିଯୁକ୍ତଙ୍କ ପରିବାର ଲୋକେ ଜାଣିବା ପରେ ସେ ଯୁବତୀଙ୍କୁ ବିବାହ କରିବାକୁ ସଫାସଫା ମନା କରି ଦେଇଥିଲା । ଏହାପରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା ।ପୋଲିସ ନିକଟରେ ଏହି ଅଭିଯୋଗ ହେବା କ୍ଷଣି ବସି ଖାନ୍କୁ ନିଲମ୍ବିତ କରାଯାଇଥିଲା । ତା ବିରୁଦ୍ଧରେ ଧର୍ମ ପରିବର୍ତ୍ତନ କରିବା, ଯୁବତୀଙ୍କୁ ଶୋଷଣ କରିବା ଭଳି ଦଫା ଲଗାଇଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଯୁବତୀଙ୍କୁ ଫସାଇବା ପାଇଁ ଅଭିଯୁକ୍ତ ନିଜ ଧର୍ମ ଲୁଚାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।