ଲକ୍ଷ୍ନୌ: ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ । ଛାତ୍ରୀଙ୍କ ମୁହଁକୁ ବ୍ଲେଡରେ କାଟିଲେ ଯୁବକ । ସୋମବାର ଉତ୍ତରପ୍ରଦେଶ ଝାନ୍ସୀରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହେବାରୁ ତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ମୁହଁରେ ୩୧ଟି ଷ୍ଟିଚ୍ ପଡିଛି । ଏନେଇ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ଖୋଜାଖୋଜି କରୁଛି ପୋଲିସ । ସୂଚନା ଅନୁଯାୟୀ, ଛାତ୍ରୀଙ୍କ ଘର ଗ୍ୱାଲିୟର ରୋଡରେ । ସେ ଯୁକ୍ତ ଦୁଇରେ ପଢନ୍ତି । ପ୍ରତିଦିନ ଭଳି ସୋମବାର ସନ୍ଧ୍ୟାରେ ସେ ଘରଠୁ କିଛି ଦୂରରେ ଇଂରାଜୀ କୋଚିଂ ପାଇଁ ଯାଇଥିଲେ ।
ବାଟରେ ଦାନିଶ ଖାନ ନାମକ ଯୁବକ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା । ସେ ଚିତ୍କାର କରିବା ଆଉ ଜଣେ ଛାତ୍ରୀ ଦୌଡି ଆସି ତାଙ୍କ ରକ୍ଷା କରିଥିଲେ । ଏହାପରେ ଛାତ୍ରୀ କୌଣସି ପ୍ରକାରେ କୋଚିଂ ସେଣ୍ଟରରେ ପହଞ୍ଚିବା ପରେ ଶିକ୍ଷକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ ଏବଂ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏନେଇ ଛାତ୍ରୀଙ୍କ ମାଆ କହିଛନ୍ତି, ଦୁଇ ବର୍ଷ ହେଲା ଦାନିଶ ତାଙ୍କ ଝିଅ ପଛରେ ପଡିଥିଲା ଏବଂ ହଇରାଣ ହରକତ କରୁଥିଲା । କୋଚିଂରୁ ନମ୍ବର ହାସଲ କରି ଅଲଗା ଅଲଗା ନମ୍ବରରୁ କଲ୍ କରୁଥିଲା । ଏପରିକି ପ୍ରତିଦିନ କୋଚିଂ ଯିବାଆସିବା ବାଟରେ ପିଛା କରିବା ସହ ଦୁର୍ବ୍ୟବହାର କରୁଥିଲା ଓ ଧମକ ଦେଉଥିଲା । ତେଣୁ ଝିଅଟି ଏ ବାବାଦରେ ଘରେ କାହାରିକୁ କିଛି କହିନଥିଲା ।