ଜୟପୁର : ମୋବାଇଲ ଗେମ୍ସ ଏବଂ ସୋସିଆଲ ମିଡିଆ ପଛରେ ପିଲା ଏମିତି ପାଗଳ ହୋଇଯାଇଛନ୍ତି । ଆଜିକାଲି ପିଲା ଏଥିପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ମୋବାଇଲ ଗେମ୍ସ ପାଇଁ ଅନେକ ଥର ଭୁଲ୍ ପଦକ୍ଷେପ ମଧ୍ୟ ନେଉଛନ୍ତି । କେଉଁଠି କିଏ ନିଜ ଜୀବନ ନେଇଯାଉଛି ତ ଆଉ କିଏ ମା’ ବାପାଙ୍କୁ ମାରି ଦେଉଛି । ଠିକ୍ ଏମିତି ଏକ ଘଟଣା ରାଜସ୍ଥାନର ରାଜଧାନୀ ଜୟପୁରରେ ଦେଖିବାକୁ ମିଳିଛି । ଯେଉଁଠି ୧୩ ବର୍ଷ ଜଣେ ଝିଅ ବାପା ମା’ ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିବାରୁ ଘର ଛାଡି ଚାଲିଯାଇଛନ୍ତି । ସୂଚନା ଅନୁଯାୟୀ, ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅ ବାପା ମା’ଙ୍କ ମୋବାଇଲରେ ସବୁବେଳେ ଗେମ୍ ଖେଳିବା ସହିତ ସୋସିଆଲ ମିଡିଆ ଆପ୍ ଚଲାଉଥିଲେ । ଘର ଲୋକେ ସବୁବେଳେ ଏହି ଜିନିଷ କରିବାକୁ ବାରଣ କରୁଥିଲେ । କିନ୍ତୁ ପିଲା ମାନିବାକୁ ନାରାଜ । ଏମିତି କିଛିଦିନ ଚାଲିବା ପରେ ବାପା ମା’ ଫୋନରୁ ସୋସିଆଲ ମିଡିଆ ଆପ୍କୁ ଡିଲିଟ୍ କରିଦେଲେ । ଆଉ ଏହି କଥା ଜାଣିବା ପରେ ୧୩ ବର୍ଷର ଝିଅ ରାତାରାତି କେଉଁଆଡେ ଫେରାର ହୋଇଯାଇଥିଲା ।
ଏହି ଘଟଣା ବିଷୟରେ ପରିବାର ଲୋକ ଜାଣିବା ପରେ ବିଦ୍ୟାନଗର ଥାନାରେ ଝିଅର ନିଖୋଜ ହେବା ରିପୋର୍ଟ ଦେଇଥିଲେ । ପୋଲିସ ତୁରନ୍ତ ପିଲାକୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରିଥିଲା । ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ଏକ ଟିମ୍ ଆଜମେର ଯାଇଥିଲା । ସେଠାରେ ଏକ ବସ୍ରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ସୂଚନା ମୁତାବକ, ନାବାଳିକା ଜଣକ ସୋସିଆଲ ମିଡିଆରେ କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିଥିଲେ । ତେଣୁ ତାଙ୍କୁ ଦେଖା କରିବା ପାଇଁ ବାପା ମା’ ଙ୍କୁ ଛାଡି ଫେରାର ହେବାକୁ ଯୋଜନା କରିଥିଲେ ପୋଲିସ ସୂଚନା ମିଳିଛି ।