ଲଣ୍ଡନ: ବୋରିସ୍ ଜନ୍ସନ୍ ବ୍ରିଟେନ୍ର କ୍ଷମତାସୀନ କନ୍ଜରଭେଟିଭ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏବେ ତାଙ୍କ ଉତ୍ତରାଧିକାରୀ ଦୌଡ଼ରେ ଦଶଜଣ ଆଶାୟୀ ସାମିଲ ହୋଇଛନ୍ତି । ତେବେ ଏହି ଦୌଡ଼ର ସବୁଠୁ ଆଗୁଆ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଜନ୍ସନ୍ କ୍ୟାବିନେଟ୍ର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ।
ଋଷି ସୁନକ: ବୋରିସ୍ ଜନ୍ସନ୍ଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଋଷି ସୁନକ ଜନ୍ସନ୍ଙ୍କ ସମ୍ଭାବିତ ଉତ୍ତରାଧିକାରୀ ଦୌଡ଼ର ପ୍ରଥମ ସ୍ଥାନରେ ରହିଛନ୍ତି। ବହୁ ପୂର୍ବରୁ ତାଙ୍କୁ ଜନ୍ସନ୍ଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଥିବା ବେଳେ ଚଳିତ ବର୍ଷ ବ୍ୟକ୍ତିଗତ ସମ୍ପତ୍ତି ଏବଂ ପରିବାରର ଟ୍ୟାକ୍ସ ବ୍ୟବସ୍ଥାକୁ ନେଇ ସମାଲୋଚିତ ହୋଇଥିଲେ । ତେବେ ନିକଟରେ କନ୍ଜରଭେଟିଭ୍ ପାର୍ଟି ପକ୍ଷରୁ କରାଯାଇଥିବା ଏକ ପୋଲ୍ରେ ପ୍ରଧାନମନ୍ତ୍ରୀ ଭାବେ ସେ ଅଧିକାଂଶ ସଦସ୍ୟଙ୍କ ସମର୍ଥନ ହାସଲ କରିଥିଲେ ।
ଜେରେମି ହଣ୍ଟ: ପୂର୍ବତନ ବିଦେଶ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ୫୫ ବର୍ଷୀୟ ହଣ୍ଟ୍ ୨୦୧୯ରେ ବୋରିସ୍ ଜନ୍ସନ୍ଙ୍କଠାରୁ ପରାଜିତ ହୋଇଥିଲେ । ତେବେ ପୁଣିଥରେ ଦୌଡ଼ରେ ସାମିଲ ହୋଇଥିବା ନେଇ ଶନିବାର ଘୋଷଣା କରିଛନ୍ତି । ୨୦୧୬ ରେଫରେଣ୍ଡମ୍ରେ ୟୁରୋପୀୟ ୟୁନିୟନ୍ ସପକ୍ଷରେ ମତ ଦେଇଥିବା ହଣ୍ଟ୍ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଇଷ୍ଟର ମ୍ୟାକ୍ଭେଙ୍କୁ ତାଙ୍କ ଡେପୁଟୀ କରିବେ ବୋଲି ପ୍ରକାଶ କରିଛନ୍ତି ।
ଲିଜ୍ ଟ୍ରସ୍: କନ୍ଜରଭେଟିଭ୍ ପାର୍ଟି ସଦସ୍ୟଙ୍କ ମଧ୍ୟରେ ନିଜର ସ୍ପଷ୍ଟବାଦିତା ନେଇ ବେଶ୍ ଲୋକପ୍ରିୟ ୪୬ ବର୍ଷୀୟା ବିଦେଶ ମନ୍ତ୍ରୀ ଟ୍ରସ୍ ଏହି ପଦର ଜଣେ ବହୁ ସମ୍ଭାବିତ ଆଶାୟୀ । ତେବେ ନିଜ ନିଷ୍ପତ୍ତିକୁ ନେଇ ସେ ବହୁ ସମୟରେ ପ୍ରଶ୍ନବାଣର ସମ୍ମୁଖୀନ ହୋଇଥାନ୍ତି । ଉଦାହରଣ ସ୍ୱରୂପ ୟୁକ୍ରେନ୍ ଯୁଦ୍ଧରେ ସାମିଲ ପାଇଁ ଇଂରେଜମାନଙ୍କୁ ପ୍ରୋତ୍ସାହିତ କରିବା ଅନ୍ୟତମ ।
ସାଜିଦ୍ ଜାଭିଦ୍: ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସାଜିଦ୍ ଜାଭିଦ୍ ଶନିବାର ଏହି ଦୌଡ଼ରେ ସାମିଲ ହୋଇଛନ୍ତି । ଜଣେ ପାକିସ୍ତାନ ଶରଣାର୍ଥୀ ବସ୍ ଡ୍ରାଇଭର୍ଙ୍କ ପୁତ୍ର ୫୨ ବର୍ଷୀୟ ଜାଭିଦ୍ ପୂର୍ବରୁ ବ୍ରିଟେନ୍ର ଜଣେ ବଡ଼ ବ୍ୟାଙ୍କର୍ ଥିଲେ । ସୁନକ୍ଙ୍କ ପରି ସେ ମଧ୍ୟ ନିଜ ବ୍ୟକ୍ତିଗତ ସମ୍ପତ୍ତି ଏବଂ ଟ୍ୟାକ୍ସ ବ୍ୟାପାରକୁ ନେଇ ପ୍ରଶ୍ନବାଣର ସମ୍ମୁଖୀନ ।
ମଧୀମ ଜହାୱି: ନୂତନ ଭାବେ ଅର୍ଥମନ୍ତ୍ରୀ ନିଯୁକ୍ତ ହୋଇଥିବା ଜହାୱି ଏହି ଦୌଡ଼ରେ ଅନ୍ୟତମ ଆଶାୟୀ । ପିଲାଦିନେ ଇରାନ୍ରୁ ଜଣେ ଶରଣାର୍ଥୀ ଭାବେ ବ୍ରିଟେନ୍ ଆସି ବସବାଦ କରିଥିବା ଜହାୱି ରାଜନୀତିରେ ଯୋଗଦେବା ପୂର୍ବରୁ ପ୍ରମୁଖ ପୋଲିଂ କମ୍ପାନୀ ‘ୟୁଗଭ୍’ ସ୍ଥାପନ କରିଥିଲେ । ତେବେ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ସେ ମଧ୍ୟ ଦେଶରେ ବେଶ୍ ଚର୍ଚ୍ଚିତ ।
ଟମ୍ ଟୁଗେନ୍ଧାଟ୍: ବ୍ରିଟେନ୍ ପାର୍ଲାମେଣ୍ଟ୍ର ପ୍ରଭାବଶାଳୀ ବିଦେଶ ବ୍ୟାପାର କମିଟିର ଅଧ୍ୟକ୍ଷ ଟମ୍ ଟୁଗେନ୍ଧାଟ୍ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ସାମିଲ ହେବାରେ ପ୍ରଥମ ବ୍ୟକ୍ତି । ଜଣେ ପୂର୍ବତନ ସେନା ଅଧିକାରୀ ୪୯ ବର୍ଷୀୟ ଟମ୍ ଆଫଗାନିସ୍ତାନରୁ ସେନା ପ୍ରତ୍ୟହାର ନିଷ୍ପତ୍ତିକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ।
ପେନି ମୋରଡଣ୍ଟ: ବ୍ରିଟେନ୍ର ପ୍ରଥମ ମହିଳା ପ୍ରତିରକ୍ଷା ସେକ୍ରେଟାରୀ ତଥା ବର୍ତ୍ତମାନର ବାଣିଜ୍ୟ ମନ୍ତ୍ରୀ ୪୯ ବର୍ଷୀୟା ମୋରଡଣ୍ଟ୍ ରବିବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟକରି ଏହି ଦୌଡ଼ରେ ସାମିଲ ଘୋଷଣା କରିଛନ୍ତି । ଜଣେ ବ୍ରେକ୍ଜିଟ୍୍ ସମର୍ଥକ ମୋରଡଣ୍ଟଙ୍କର କନ୍ଜରଭେଟିଭ୍ ପାର୍ଟି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିବା କ୍ଷମତା ରହିଛି ।
ସୁଏଲା ବ୍ରାଭେରମ୍ୟାନ୍: ଆଟର୍ଣ୍ଣି ଜେନେରାଲ୍ ଏବଂ ବ୍ରେକ୍ଜିଟ୍ର ଜଣେ ଦୃଢ଼ ସମର୍ଥକ ବାଭେରମ୍ୟାନ୍ କିଛିଦିନ ତଳେ ଏହି ଦୌଡ଼ରେ ସାମିଲ ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ବ୍ରେକ୍ଜିଟ୍ ଡିଲ୍କୁ ବିରୋଧ କରୁଥିବା ୨୮ ଟୋରୀ ସାଂସଦଙ୍କ ମଧ୍ୟରୁ ଅନ୍ୟତମ ୪୨ ବର୍ଷୀୟା ସୁଏଲା ପାର୍ଟିରେ ବେଶ୍ ଲୋକପ୍ରିୟ ।
ଗ୍ରାଣ୍ଟ୍ ଶାପ୍ସ: ଶନିବାର ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ସାମିଲ ହୋଇଥିବା ଟ୍ରାନ୍ସପୋର୍ଟ ସେକ୍ରେଟାରୀ ଶାପ୍ସ ଟ୍ୟାକ୍ସରେ ରିହାତି ସହ ଏକ ସ୍ୱଚ୍ଛ ସରକାରର ପ୍ରତିଶ୍ରୁତି ଦେଇଛନ୍ତି ।
କେମି ବାଡେନୋଚ୍: ବୁଧବାର ଇସ୍ତଫା ଦେଇଥିବା ପୂର୍ବତନ ସମାନତା ମନ୍ତ୍ରୀ ବାଡ଼େନୋଚ୍ ଏହି ଦୌଡ଼ରେ ସାମିଲ ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ସମ୍ଭାବନା ବହୁ କମ୍ ରହିଛି ।