16.1 C
Bhubaneswar
Tuesday, November 26, 2024
Homeଓଡିଶାଅଧୂରା ରହିଯିବ କି ‘ସ୍ୱାବଲମ୍ବୀ ଓଡ଼ିଶା’ର ସ୍ୱପ୍ନ? : ତିନି ବର୍ଷରେ ୨୧,୪୧୯ଙ୍କୁ ନିଯୁକ୍ତି ଭିତ୍ତିକ...

ଅଧୂରା ରହିଯିବ କି ‘ସ୍ୱାବଲମ୍ବୀ ଓଡ଼ିଶା’ର ସ୍ୱପ୍ନ? : ତିନି ବର୍ଷରେ ୨୧,୪୧୯ଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ୍‌

ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କ ଆତ୍ମନିର୍ଭରଶୀଳ ପାଇଁ ‘ସ୍ୱାବଲମ୍ବୀ ଓଡ଼ିଶା’ର ସ୍ୱପ୍ନ ଦେଖିଥିବା ରାଜ୍ୟ ସରକାର ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଦକ୍ଷତା ବିକାଶ ଅଭିଯାନ ଆରମ୍ଭ କରିଥିଲେ । କୂଶଳୀ ବ୍ୟକ୍ତିଙ୍କୁ ନିୟୋଜନ ଗଢ଼ିଉଠିଥିବା ଶିଳ୍ପରେ ଲକ୍ଷ୍ୟରେ ‘ଦକ୍ଷତା ମିଶନ’ ବି ଗଠନ ହୋଇଥିଲା । ୨୦୨୩-୨୪ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ଯୁବକ ଯୁବତୀଙ୍କୁ ବାର୍ଷିକ ୩ ଲକ୍ଷ ଟଙ୍କା ମିଳିବା ଲକ୍ଷ୍ୟରେ ତାଲିମ ଦେବାର ବ୍ୟବସ୍ଥା ହୋଇଥିଲା । ହେଲେ ‘ଦେଉଳକୁ ମୁଖଶାଳା’ ଗିଳିଲା ପରି ବ୍ୟୟ ଓ ଦକ୍ଷତା ତାଲିମ ତୁଳନାରେ ନିଯୁକ୍ତି ସମ୍ଭବ ହୋଇପାରି ନାହିଁ । ବିଗତ ତିନି ବର୍ଷରେ ମାତ୍ର ୨୧,୪୧୯ ବେକାରୀଙ୍କୁ ନିଯୁକ୍ତି ମିଳିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୧-୧୨ରୁ ୨୦୧୭-୧୮ ପର୍ଯ୍ୟନ୍ତ ‘ପ୍ରଜେକ୍ଟ ଇମ୍ପ୍ଲିମେଣ୍ଟିଙ୍ଗ ଏଜେନ୍ସି ବା ପିଆଇଏ ଜରିଆରେ ‘ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ’ ଠିକ୍ ଥିଲା । ଏହି ସାତ ବର୍ଷରେ ମୋଟ୍ ୧୩୭ ପିଆଇଏ ଜରିଆରେ ୭୬,୦୩୨ ଯୁବକ ଯୁବତୀଙ୍କୁ ସଫଳତାର ଦକ୍ଷତା ତାଲିମ ମିଲିଛି । ସେମାନେ ବି ଆତ୍ମନିର୍ଭରଶୀଳ ହୋଇଛନ୍ତି । ହେଲେ ୨୦୧୮-୧୯ରୁ ୨୦୨୦-୨୧ ମଧ୍ୟରେ ୫୭ ପିଆଇଏ ଜରିଆରେ ମୋଟ୍ ୨୧ ହଜାର ୪୧୯ ଜଣ ଯୁବକ-ଯୁବତୀ ‘ରୋଜଗାର ପାଇଁ ଦକ୍ଷତା ତାଲିମ’ ପାଇଛନ୍ତି । ଅର୍ଥାତ ୨୦୧୮-୧୯ରେ ୧୭ ପିଆଇଏ ଜରିଆରେ ୯,୦୪୮ ନିଯୁକ୍ତି ଭିତ୍ତିକ ତାଲିମ ପାଇଥିଲାବେଳେ ୧୯ ପିଆଇଏ ଜରିଆରେ ୯,୨୫୬ ଏବଂ ୨୧ ପିଆଇଏ ଜରିଆରେ ୩,୧୧୫ ନିଯୁକ୍ତି ଭିତ୍ତିକ ତାଲିମ ପାଇଛନ୍ତି । ଏମାନେ ବି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି । ହେଲେ ରାଜ୍ୟର ଲୋକ ସଂଖ୍ୟା ତୁଳନାରେ ଏହି ହାର ନଗନ୍ୟ ।

ଓଡ଼ିଶାରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ବଢ଼ି଼ି ଚାଲିଥିବାରୁ ସେମାନଙ୍କୁ ତତ୍କାଳ ନିଯୁକ୍ତି ପାଇଁ ଏଭଳି ପ୍ରକ୍ରିଆ ଆରମ୍ଭ ହୋଇଛି । ‘ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି’(ସିଏମ୍‌ଆଇ)ର ସର୍ଭେ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୦.୭% ବେକାରୀ ସଂଖ୍ୟା ବଢ଼ିଛି । ପୂର୍ବରୁ ଥିଲା ୧୩.୧%, ଏବେ ହୋଇଛି ୨୩.୮% । ପ୍ରାୟ ୧୦.୫ ଲକ୍ଷ ପଞ୍ଜିକୃତ ବେକାର ଯୁବକ ଯୁବତୀ ଚାକିରି ପାଇଁ ଅପେକ୍ଷା କରି ହତାଶ୍ । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ‘ଆତ୍ମନିର୍ଭରଶୀଳ’ ହେବା ନିମନ୍ତେ ଦକ୍ଷତା ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରିଛନ୍ତି । କ୍ଷେତ୍ର ଅନୁଯାୟୀ ଦକ୍ଷତା ମିଶନ ଜରିଆରେ ତାଲିମ ପାଠ୍ୟକ୍ରମ ସ୍ଥିର ହୋଇଛି ।
ଚିହ୍ନଟ କ୍ଷେତ୍ରଗୁଡ଼ିକ ହେଉଛି କୃଷି, ଅଟୋ ମୋବାଇଲ, ପ୍ଲାଷ୍ଟିକ୍‌, ହୋଟେଲ, ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ, ସୁରକ୍ଷା, ଇଲେଟ୍ରୋନିକ୍ସ, ବିଦ୍ୟୁତ୍ ଉତ୍ପାଦନ, ନିର୍ମାଣ କ୍ଷେତ୍ର । ଚିଫ୍ ମିନିଷ୍ଟର ଏମ୍ଲୟମେଣ୍ଟ ଜେନେରେସନ ପ୍ରୋଗ୍ରାମ’ (ସିଏମ୍‌ଇଜିପି) ନାମରେ ୨୦୧୪-୧୫ ଆର୍ଥକ ବର୍ଷରୁ ରାଜ୍ୟ ସରକାର ନୂଆ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ପ୍ରଣୟନ କରି ସଫଳ ହୋଇଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି । ୨୦୧୪-୧୫ ଠାରୁ ୨୦୨୦-୨୧ ମଧ୍ୟରେ ଏହି ଯୋଜନା ଅଧୀନରେ ସମୁଦାୟ ୧୪,୭୫,୩୭୯ ଯୁବକ-ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ସୁଯୋଗ ଦିଆଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି । ଅନ୍ୟପକ୍ଷରେ ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଦ୍ୱାରା ଏକ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ୨୦୧୧-୧୨ରୁ ପ୍ରଚଳନ କରାଯାଉଛି ।

ଏହି କାର୍ଯ୍ୟକ୍ରମ ସିଏମ୍‌ଇଜିପିର ଏକ ଅଂଶ ବିଶେଷ । ଉଭୟ କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ସୁଦ୍ଧା ତାଲିମ ବାବଦରେ ବ୍ୟୟ ହୋଇଛି ୪,୯୨,୧୭,୫୯୮ ଟଙ୍କା । ଏହି ତାଲିମ କାର୍ଯ୍ୟକ୍ରମ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାଙ୍କ ସହ ସରକାରୀ ଓ ବେସରକାରୀ ସହଭାଗୀଦାରୀ(ପିପିପି)ରେ କରାଯାଇଛି । ପିପିପିରେ ତାଲିମ୍ ୫୯,୯୫୩ ହୋଇଥିଲାବେଳେ ନିଯୁକ୍ତି ମାତ୍ର ୧୯,୨୯୫ ।
ପରିସଂଖ୍ୟାନକୁ ଦେଖିଲେ ଖର୍ଚ୍ଚ ଓ ନିଯୁକ୍ତି ମଧ୍ୟରେ ଆକାଶ ପାତାଳ ଫରକ । ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମରେ ବ୍ୟୟ ୮୫.୫୪ କୋଟି । ଦକ୍ଷତା ବିକାଶ ତାଲିମ ପାଇଁ ଯେଉଁ ପରିମାଣର ଅର୍ଥ ବ୍ୟୟ ହୋଇଛି ସେହିପରିମାଣରେ ନିଯୁକ୍ତି ଦେବା ସମ୍ଭବ ହୋଇନି । ଏଥିପାଇଁ ମନୁଷ୍ୟଗତ ପରିଚାଳନାଗତ ତ୍ରୁଟିକୁ କେବଳ ଦାୟୀ କରିହେବ ନାହିଁ ।

କାରଣ ବିଗତ ଦୁଇ ବର୍ଷ ଧରି ବ୍ୟାପିଥିବା କୋଭିଡ୍ ସଂକ୍ରମଣ ପାଇଁ ଓଡ଼ିଶାରେ ପ୍ରାୟ ଅଧିକାଂଶ ବୃହତ୍ତ ଓ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଆର୍ôଥକ ଦିଗରୁ ରୁଗ୍‌ଣ ହୋଇଛନ୍ତି । ସେଥିପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି । ହୁଏତ ଏଥିପାଇଁ ଦକ୍ଷତା ବିକାଶ ଅଧାବାଟରେ ରହିଯାଇଛି । ତେଣୁ ରାଜ୍ୟ ସରକାର ଏବେ ଦୀର୍ଘମିଆଦୀ ଖସଡ଼ା ପ୍ରସ୍ତୁତ କରିବା ଦରକାର । ମହାମାରୀ କୋଭିଡ୍ ସ୍ଥିତିର ସୁଧାର ଆସିଥିବାରୁ ସରକାର ତାଲିମ ଓ ନିଯୁକ୍ତି ସୁଯୋଗ ଉପରେ ଅଧିକ ଫୋକସ୍ ଦେବା ଜରୁରି । ନହେଲେ ଅଧୁରା ରହିଯିବ ‘ସ୍ୱାବଲମ୍ବୀ ଓଡ଼ିଶା’ର ସ୍ୱପ୍ନ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking