ଭୁବନେଶ୍ୱର: ସ୍ତ୍ରୀ’ଙ୍କୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ବୁଧବାର ଗିରଫ କରିଛି । ଗିରଫ ଅଭିଯୁକ୍ତ ସ୍ୱାମୀ ହେଲେ ଲକ୍ଷ୍ମୀସାଗର ତଳସାହି ତ୍ରୀନାଥ ମନ୍ଦିର ନିକଟରେ ରହୁଥିବା ମାନସ ବିଶ୍ୱାଳ (୩୧) । ଅଭିଯୁକ୍ତ ଠାରୁ ଅପରାଧରେ ବ୍ୟବହୃତ ଏକ ଛୁରୀ ଜବତ କରାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନସ ୨୦୧୫ ଜାନୁଆରୀ ୧୬ରେ ମିତା ବିଶ୍ୱାଳଙ୍କୁ ବିବାହ କରିଥିଲେ ।
ମାନସ କୌଣସି ରୋଜଗାର କରୁନଥିଲେ । ମଦ୍ୟପାନ କରି ପ୍ରାୟ ସମୟରେ ସ୍ତ୍ରୀ ମିତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଉଭୟଙ୍କ ଏକ ଝିଅ ଥିବାରୁ ତାଙ୍କର ଦେଖାଶୁଣା ଓ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମିତା ତଳସାହିରେ ଏକ ବିଟିଲ ସପ୍ ମଧ୍ୟ ଖୋଲିଛନ୍ତି । ମାନସ ଶନିବାର ମଦ ପିଇବାକୁ ମିତାଙ୍କୁ ଟଙ୍କା ମାଗିଥିଲେ । ମିତା ଟଙ୍କା ନଦେବାରୁ ମାନସ ତାଙ୍କ ତଣ୍ଟିଚିପି ମାଡ଼ ମାରିବା ସହ ମୁଣ୍ଡକୁ ବାଡ଼େଇ ଦେଇଥିଲେ । ଏଥିସହ ଏକ ଛୁରୀରେ ମିତାଙ୍କୁ ହତ୍ୟା କରିବାକୁ ମାନସ ଗୋଡ଼ାଇଥିଲେ । ମିତା ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଥାନାରେ ସ୍ୱାମୀ ମାନସଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ।