18.1 C
Bhubaneswar
Saturday, November 23, 2024
Homeଓଡିଶାଶେଷ ପର୍ଯ୍ୟାୟରେ ପାରମ୍ପରିକ ରଙ୍ଗ କାମ : ଶ୍ରୀମନ୍ଦିରରେ ପୂଜାପାଇବେ ପଟିଦିଅଁ

ଶେଷ ପର୍ଯ୍ୟାୟରେ ପାରମ୍ପରିକ ରଙ୍ଗ କାମ : ଶ୍ରୀମନ୍ଦିରରେ ପୂଜାପାଇବେ ପଟିଦିଅଁ

ପୁରୀ : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟିଦିଅଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଇତିମଧ୍ୟରେ ପଟି ପ୍ରସ୍ତୁତ ହୋଇ ସାରିଥିବାବେଳେ ସେଥିରେ ପାରମ୍ପରିକ ରଙ୍ଗଦେବା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚିତ୍ରକର ରାଜେନ୍ଦ୍ର ମହାରଣାଙ୍କ ପରିବାର ଲୋକେ ବଂଶାନୁକ୍ରମିକ ଭାବେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପଟିଦିଅଁ ପ୍ରସ୍ତୁତ କରି ଯୋଗାଇଥାନ୍ତି । ସେହିପରି ନାରଣ ମହାରଣାଙ୍କ ପରିବାର ଲୋକ ବଂଶାନୁକ୍ରମିକ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଟିଦିଅଁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦେଇଥାନ୍ତି । ଅଣସର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରା ଭୁବନେଶ୍ୱରୀଙ୍କ ରୂପରେ ପଟିଦିଅଁ ଭାବେ ପୂଜା ପାଆନ୍ତି । ସ୍ନାନପୂର୍ଣ୍ଣିମାରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ପରେ ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରୁ ଏକ ପଟୁଆର ଚିତ୍ରକରଙ୍କ ଘରକୁ ଯାଇଥାଏ । ପାରମ୍ପରିକ ପୂଜାର୍ଚ୍ଚନା ପରେ ଘଣ୍ଟ, ଛତା, କାହାଳି ସହ ପଟି ଦିଅଁ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।

ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ଭାବେ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ । ତେବେ ଦାରୁ ଦେବତା ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ରଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସନରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହୋଇଥାଏ । ଚତୁଃହସ୍ତରେ ସେ ଶଙ୍ଖ, ଚକ୍ର, ଗଦା ଓ ହଳ ଧରିଥାଆନ୍ତି । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଊର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଶ୍ରୀଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ । ଚିତ୍ର ପାଇଁ ଧଳାରଙ୍ଗ ଶଙ୍ଖରୁ ପ୍ରସ୍ତୁତ ହେଉଥିବାବେଳେ, କଳାରଙ୍ଗ ପାଇଁ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ ।

ସ୍ନାନପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବାବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ । ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନକଲେ ଜଗନ୍ନାଥଙ୍କ ଦର୍ଶନ ସମଆଶିଷ ଲାଭ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking