ପୁରୀ: ସୋସିଆଲ୍ ମିଡିଆରେ ବଙ୍ଗୀୟ ସୁନ୍ଦରୀଙ୍କ ଜାଲ । ଯୁବକଙ୍କ ଠାରୁ ପ୍ରୌଢ ପର୍ଯ୍ୟନ୍ତ ଏହି ଜାଲରେ ଛନ୍ଦି ହେଉଛନ୍ତି । ହ୍ୱାଟ୍ସ ଆପ୍ ଭିଡିଓ କଲ୍ ହିଁ ଏହି ସୁନ୍ଦରୀଙ୍କ ଅସ୍ତ୍ର ସାଜିଛି । ସଚେତନତା ଅଭାବରୁ ଏହାର ଶିକାର ହେଉଛନ୍ତି ଅନେକ । ସୁନ୍ଦରୀଙ୍କ କବ୍ଜାକୁ ଆସିବା ପରେ ହେଉଛନ୍ତି ଲୁଟ୍ର ଶିକାର । ମାନସିକ ଓ ଆର୍ଥିକ ଶୋଷଣ କରି ମାଲାମାଲ୍ ହେଉଥିବା ଦୁର୍ବୃତ୍ତ ଦୀର୍ଘଦିନ ଧରି ଏହି ର୍ୟାକେଟ୍କୁ ସକ୍ରିୟ ରଖିଛନ୍ତି । ଏଭଳି ବାରମ୍ବାର ଘଟିଥିବାବେଳେ ଲଗାତର ଭାବେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଛି । ଏନେଇ ସଚେତନ ଥିବା ଜଣେ ବ୍ୟବସାୟୀ ଏହି ର୍ୟାକେଟ୍ ଠାରୁ ନିଜକୁ ସୁରକ୍ଷିତ ରଖି ପାରିଥିବା ଘଟଣା ଏବେ ନଜରକୁ ଆସିଛି । ବ୍ୟବସାୟୀ ଜଣକ ସ୍ଥାନୀୟ ବାଲିଗୁଆଳିର ଚନ୍ଦ୍ରଶେଖର ଜେନା ।
ଶନିବାର ପୂର୍ବାହ୍ନରେ ଚନ୍ଦ୍ରଶେଖରଙ୍କ ହ୍ୱାଟ୍ସ ଆପ୍କୁ ମେସେଜ୍ ଆସିଥିଲା । ନିଜକୁ ବନ୍ଧୁ ବୋଲି ପରିଚୟ ଦେଇ କିଛି ସମୟ ମେସେଜ୍ ମାଧ୍ୟମରେ ବାର୍ତ୍ତାଳାପ କରିଥିଲା । ଏହାପରେ ଯୌନ ଉଦ୍ଦୀପକ ମେସେଜ୍ କରି ତାଙ୍କୁ ବିମୋହିତ କରିବାକୁ ଉଦ୍ୟମ କରିଥିଲା ସୁନ୍ଦରୀ । ଏପରିକି ନିଜକୁ ବଙ୍ଗୀୟ ଯୁବତୀ ବୋଲି କହି ତା’ର କିଛି ଫଟୋ ସେଣ୍ଡ୍ କରିଥିଲା । ଏହାପରେ ଭିଡିଓ କଲ୍ କରିବାକୁ ମେସେଜ୍ କରିଥିଲା । କିଛି ସମୟ ପରେ ହଠାତ୍ ଭିଡିଓ କଲ୍ କରିଥିଲା ଦୁର୍ବୃତ୍ତ । ରିସିଭ୍ କରିବାବେଳେ କ୍ୟାମେରା ଆଗରେ ଆଙ୍ଗୁଠି ରଖିଦେଇଥିଲେ ଚନ୍ଦ୍ରଶେଖର । ସେପଟେ ସୁନ୍ଦରୀ ଜଣକ ଦେହରୁ ଗୋଟିଏ ପରେ ଗୋଟିଏ ପୋଷାକ ଖୋଲି ଦେଇଥିଲା । ଏହି ସମୟର ସ୍କ୍ରିନ୍ ସଟ୍ ରଖିଥିଲେ ଚନ୍ଦ୍ରଶେଖର । ସୁନ୍ଦରୀ ଜଣକ କ୍ୟାମେରା ସମ୍ମୁଖରୁ ଆଙ୍ଗୁଠି ବାହାର କରିବା ପାଇଁ ବାରମ୍ବାର ନିବେଦନ କରିଥିଲା । ହେଲେ ଚନ୍ଦ୍ରଶେଖର ଶୁଣି ନଥିଲେ । ଓଲଟା ସୁନ୍ଦରୀର ସ୍କ୍ରିନ୍ ସଟ୍ ନେଇଥିବା ସେ କହିଥିଲେ । ଶେଷରେ ଯୁବତୀ ଜଣକ ବିଗିଡି ଯାଇ ତାଙ୍କୁ ଗାଳି କରିଥିଲା । ସଚେତନ ଥିବା ଜାଣି ଚନ୍ଦ୍ରଶେଖରଙ୍କ ପିଛା ଛାଡି ଥିଲା ଏହି ଦୁର୍ବୃତ୍ତ ।
ଏନେଇ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଭଳି ର୍ୟାକେଟ୍ ସମ୍ପର୍କରେ ପୂର୍ବରୁ ‘ପ୍ରମେୟ’ ପଢି ସେ ସଚେତନ ଥିଲେ । କ୍ୟାମେର ସାମ୍ନାରୁ ଆଙ୍ଗୁଠି ବାହାର କରିଥିଲେ ଦୁର୍ବୃତ୍ତ ସ୍କ୍ରିନ୍ ସଟ୍ କିମ୍ବା ସ୍କ୍ରିନ୍ ରେକର୍ଡ ନେଇ ଚନ୍ଦ୍ରଶେଖର ଉଲଗ୍ନ ଶରୀର ଦେଖୁଥିବାର ପ୍ରମାଣ ରଖି ଲୁଟିଥାଆନ୍ତା । କିନ୍ତୁ ଏଥିରୁ ନିଜକୁ ନିବୃତ୍ତ ରଖିଥିଲେ ଚନ୍ଦ୍ରଶେଖର । ଏନେଇ ପ୍ରମେୟକୁ ସେ ଧନ୍ୟବାଦ୍ ଦେଇଛନ୍ତି ।