ତିରୁମାଲା: ନିକଟରେ ବିବାହ କରିଥିବା ସାଉଥ୍ ଅଭିନେତ୍ରୀ ଏବଂ ତାଙ୍କ ପତି ବିଘ୍ନେଶ ଶିଭନ୍ଙ୍କୁ ତିରୁପତି ମନ୍ଦିର ଦର୍ଶନକୁ ନେଇ ବିବାଦ ଦେଖାଦେଇଛି । ଗୁରୁବାର ମହାବଳିପୁରମ୍ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ବିବାହ କରିବା ପରେ ଉଭୟ ଭଗବାନ ଭେଙ୍କଟେଶ୍ୱରଙ୍କ କଳ୍ୟାଣତ୍ସବରେ ଭାଗନେବା ପାଇଁ ତିରୁପତି ଆସିଥିଲେ । ତେବେ ମନ୍ଦିର ପରିସରରେ ନୟନତାରା ଚପଲ ପିନ୍ଧି ବୁଲୁଥିବାର ଏକ ଫଟୋ ଇଣ୍ଟରନେଟ୍ରେ ଭାଇରାଲ୍ ହେବା ଫଳରେ ଏହା ବିବାଦ ଘେରକୁ ଚାଲିଆସିଛି ।
ତିରୁମାଲା ତିରୁପତି ଦେବାଷ୍ଠନମ୍ ବୋର୍ଡ (ଟିଟିଡି) ମୁଖ୍ୟ ସୁରକ୍ଷା ଅଧିକାରୀ ନରସିଂହା କିଶୋରଙ୍କ ଅନୁସାରେ ଚପଲ ପିନ୍ଧି ମନ୍ଦିର ପରିସରରେ ପ୍ରବେଶ ଉପରେ କଡ଼ା କଟକଣା ରହିଛି । ସେ ଚପଲ୍ ପିନ୍ଧି ମାଦା ଷ୍ଟ୍ରିଟ୍ରେ ବୁଲୁଥିବା ବେଳେ ଆମ ସୁରକ୍ଷାକର୍ମୀ ତାଙ୍କୁ ବାରଣ କରିଥିଲେ । ଏପରିକି ସେମାନେ ମନ୍ଦିର ପରିସରରେ ଫଟୋଶୁଟ୍ କରିଥିବା ଆମ ନଜରକୁ ଆସିଛି, ଯାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିଷେଧ । ପବିତ୍ର ସ୍ଥାନ ମଧ୍ୟକୁ ପ୍ରାଇଭେଟ୍ କ୍ୟାମେରାକୁ ଅନୁମତି ନାହିଁ ବୋଲି ମୁଖ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି । ଏ ନେଇ ଅଭିନେତ୍ରୀଙ୍କୁ ଆଇନଗତ ନୋଟିସ୍ ପଠାଯିବ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ମଧ୍ୟ ଅଭିନେତ୍ରୀଙ୍କୁ ଜଣାଇଦିଆଯାଇଛି ଏବଂ ସେ ଏକ ଭିଡିଓ ଜାରିକରି ଭଗବାନ ବାଲାଜୀ, ଟିଟିଡି ଏବଂ ତୀର୍ଥଯାତ୍ରୀଙ୍କୁ କ୍ଷମାପ୍ରାର୍ଥନା କରିବାକୁ ଚାହିଁଛନ୍ତି ବୋଲି ମୁଖ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି । ଇତିମଧ୍ୟରେ ଅଭିନେତ୍ରୀଙ୍କ ପତି ବିଘ୍ନେଶ ଏକ ବିଜ୍ଞପ୍ତି ଜାରିକରି କ୍ଷମାପ୍ରାର୍ଥନା କରିଛନ୍ତି ।