ଚେନ୍ନାଇ: ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୭ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏ ନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାରକାରୀଙ୍କ ସାହାଯ୍ୟରେ ସମସ୍ତଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦେହକୁ କୁଡ୍ଡାଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବେ ମାମଲାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, କୁଚିପଲୟମ୍ ପାଖ ଗେଡିଲମ୍ ନଦୀରେ ନିର୍ମିତ ଚେକ୍ ଡ୍ୟାମ୍କୁ ୭ ଜଣ ଝିଅ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ୨ ଜଣ ନଦୀ ମଝିକୁ ଚାଲିଯାଇଥିଲେ । ଫଳରେ ବୁଡ଼ି ଯାଇଥିଲେ । ସାହାଯ୍ୟ ପାଇଁ ସେମାନେ ଚିତ୍କାର କରିବାକୁ ଅନ୍ୟମାନେ ମଧ୍ୟ ନଦୀ ଗଭୀରକୁ ଯାଇଥିଲେ । କିନ୍ତୁ ସେମାନେ ମଧ୍ୟ ଗଣ୍ଡରେ ବୁଡ଼ି ଯାଇଥିଲେ । ପାଣିରେ ବୁଡ଼ି ଯାଇ ୭ ଜଣଙ୍କର ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ୧୬ ବର୍ଷୀୟା ସୁମୁଥା, ୧୯ ବର୍ଷୀୟା ନବନୀତା, ୧୯ ବର୍ଷୀୟା ପ୍ରିୟା, ୧୫ ବର୍ଷୀୟା ମୋନିକା, ୧୭ ବର୍ଷୀୟା ସଙ୍ଗୀତା, ୧୪ ବର୍ଷୀୟା ପ୍ରିୟଦର୍ଶିନୀ ଓ ୧୨ ବର୍ଷର କାବ୍ୟା ଅଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ଖୋଜାଖୋଜି କରିବା ପରେ ନଦୀରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଜାଣିବା ପରେ ରାଜ୍ୟ କୃଷି ମନ୍ତ୍ରୀ ଏମ୍ଆରକେ ପନ୍ନୀରସେଲଭନ୍ ହସ୍ପିଟାଲରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣା ପରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଶୋକ ବ୍ୟକ୍ତ କରିଛନ୍ତି । ଏହି ଦୁର୍ଘଟଣାରେ ଜୀବନ ହରାଇଥିବା ଝିଅଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ଯୋଗାଇବାକୁ ସେ ଘୋଷଣା କରିଛନ୍ତି ।