ଭୁବନେଶ୍ୱର: ଗୋଟେ ନୂଆ ଆଲବମ୍ ବନାଉଛୁ । ଭୁବନେଶ୍ୱର ଆସ, ସୁଟିଂ ହେବ । ଏମିତି ବାହାନାରେ ଜଣେ ନାବାଳିକା ଅଭିନେତ୍ରୀଙ୍କୁ ଡାକି ରାତିତମାମ ଦୁଷ୍କର୍ମ କଲେ । ସଂପୃକ୍ତ ଅଭିନେତ୍ରୀ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପ୍ରଥମେ ମହିଳା ଥାନା ଓ ପରେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଇଛି ।
ସୂଚନା ମୁତାବକ, ଅଭିନେତ୍ରୀ ପିଙ୍କି(ଛଦ୍ମନାମ)ଙ୍କ ଘର ଖୋର୍ଦ୍ଧା ବାଣପୁରରେ । ବୟସ ୧୭ ବର୍ଷ । ପୂର୍ବରୁ ସେ ଏକାଧିକ ଓଡି଼ଆ ଆଲ୍ବମ୍ରେ ଅଭିନୟ କରିଛନ୍ତି । ‘ୟୁ ଟ୍ୟୁବ୍’ରେ ମଧ୍ୟ କିଛି ଆଲବମ୍ ଗୀତ ରହିଛି । ତାଙ୍କ ଅଭିଯୋଗ ହେଉଛି, ୨ଦିନ ତଳେ ବିଷ୍ଣୁ ଭାଇ ନାମକ ଆଲବମ୍ ନିର୍ମାତା ତାଙ୍କୁ ଫୋନ୍ କରିଥିଲେ । କହିଥିଲେ,‘ସୋନାଲି ନନ୍ଦ’ଙ୍କ ଧୋକ୍କା କାହାଣୀକୁ ନେଇ ଏକ ଆଲବମ ସୁଟିଂ ହେବ । ତୁରନ୍ତ ଆସି ଦେଖା କର ।
ସୁରଜ ନାମକ ଜଣେ ଅଭିନେତା ତାଙ୍କ ହ୍ୱାଟସ୍ଆପ୍ ନମ୍ବରରୁ ପିଙ୍କି ସହ ଚାଟ୍ କଲେ । ଉକ୍ତ ଆଲବମ ଗୀତରେ ସେ ହିରୋ ଭୂମିକାରେ ଅଭିନୟ କରିବେ ବୋଲି କହି ପିଙ୍କି ସହ କଥାବାର୍ତ୍ତା ଆଗେଇଲେ । ନାନା ବାହାନାରେ ଚାଟ୍ କରିଥିଲେ । ପିଙ୍କି ଗତକାଲି ସକାଳେ ବାଣପୁରରୁ ବସ୍ ଯୋଗେ ବରମୁଣ୍ଡା ଆସିଥିଲେ । ସୁରଜ ସେଠାରୁ ପିଙ୍କିଙ୍କୁ ବାଇକ୍ରେ ଭରତପୁର ବସ୍ତିସ୍ଥିତ ଭଡ଼ାଘରକୁ ନେଇଥିଲେ । ସେଠାରେ ବିଷ୍ଣୁ ଭାଇ ବି ଉପସ୍ଥିତ ଥିଲେ ।
ସୁଟିଂ ୟୁନିଟ୍ ସହ ପିଙ୍କି ଖଣ୍ଡଗିରି ପାହାଡ଼କୁ ଯାଇଥିଲେ । ସେଠାରେ ଏକ ବିବାହ ଉତ୍ସବର ସୁଟିଂ ହୋଇଥିଲା । ସୁଟିଂ ସରୁ ସରୁ ସନ୍ଧ୍ୟା ହୋଇଗଲା । ଏହି ବାହାନାରେ ସୁରଜ କହିଥିଲେ, ତମେ କାହିଁକି ଘରକୁ ଯିବ । ମୋ ଘରକୁ ଚାଲ । ସେଠି ଅଲଗା ରୁମ୍ ଅଛି । ରାତିରେ ରହିବ । ସକାଳୁ ପୁଣି ସୁଟିଂ ଅଛି । ସୁରଜ ଏମିତି ବାହାନାରେ ପିଙ୍କିକୁ ମନାଇ ନିଜ ଘରକୁ ନେଇଗଲେ । ସେଠାରେ ରାତିତମାମ ସୁରଜ ପିଙ୍କିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସୁରଜ ଶୁକ୍ରବାର ସକାଳୁ ପିଙ୍କିକୁ ଧମକାଇ ବସଷ୍ଟାଣ୍ଡରେ ଛାଡି଼ ଦେଇଥିଲେ । ପିଙ୍କି ସେଠାରୁ ଗାଁକୁ ନ ଯାଇ ଲକ୍ଷ୍ମୀସାଗରରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରକୁ ଯାଇଥିଲେ । ସେଠାରେ ଭାଇ ସମସ୍ତ କଥା ଜାଣିବା ପରେ ମହିଳା ଥାନାକୁ ଯାଇ ଅଭିଯୋଗ କରିଥିଲେ । ସନ୍ଧ୍ୟାରେ ଭରତପୁର ଥାନାକୁ ଯାଇ ଏତଲା ଦେଇଥିଲେ । ପୁଲିସ କେସ ନମ୍ବର ୭୬/୨୨ରେ ଏକ ମାମଲା ରୁଜୁ କରି ୩୭୬, ୨୯୪, ୫୦୬ ଓ ପୋକ୍ସୋ ଆକ୍ଟ ସେକ୍ସନ ୬ ଲଗାଇଛି । ପୀଡ଼ିତାଙ୍କ ତଥ୍ୟ ଅନୁସାରେ ଭରତପୁର ବସ୍ତିର ଅଭିଯୁକ୍ତ ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି ।