ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ କଲେଜର ସହାୟକ ଅଧ୍ୟାପକଙ୍କୁ ଦୁଷ୍କର୍ମ ଘଟଣାରେ କମିଶନରେଟ୍ ପୁଲିସକୁ ମିଳିଛି ବଡ ସଫଳତା । ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଛତିଶଗଡ଼ରୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଛତିଶଗଡ଼ର ଓମେଶ ସୁଧାକର । ବୁଧବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅଧିକାରୀଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ୍ ଓମେଶଙ୍କୁ ଧରିଥିଲା । ଏହାପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ଅଭିଯୁକ୍ତ ଓମେଶକୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ଓମେଶ ପୀଡ଼ିତା ସହାୟକ ଅଧ୍ୟାପକଙ୍କ ବନ୍ଧୁ । ଦୁହେଁ ଛତିଶଗଡ଼ରେ ଏକାଠି କଲେଜରେ ପଢ଼ିଥିଲେ ।
ଯୁବତୀ ଜଣକ ଗତବର୍ଷ ମାର୍ଚ୍ଚରେ ଜାଗମରାସ୍ଥିତ ଘରୋଇ କଲେଜରେ ସହାୟକ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ଅଭିଯୁକ୍ତ ଓମେଶ ଗତ ବର୍ଷ ସେପ୍ଟେମ୍ବରରେ ଭୁବନେଶ୍ୱର ଆସି ଜାଗମରାରେ ଥିବା ଏକ ହୋଟେଲକୁ ଯୁବତୀଙ୍କୁ ଡକାଇଥିଲେ । ଯୁବତୀ ଆସିବା ପରେ ଉମେଶ ତାଙ୍କୁ ଥଣ୍ଡା ପାଣିରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ । ସେ ଅଚେତ୍ ହୋଇଯିବା ପରେ ଉମେଶ ତାଙ୍କୁ ସେଠାରେ ଦୁଷ୍କର୍ମ କରିବା ସହ ତାହାର ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଏହାପରେ ଉକ୍ତ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଦେବାକୁ ଧମକ ଦେଇ ଯୁବତୀଙ୍କୁ ବ୍ଲାକମେଲିଂ କରିଥିଲେ । ଉମେଶ ଟଙ୍କା ମାଗିବାରୁ ସହାୟକ ଅଧ୍ୟାପକ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେଇଥିଲେ । ହେଲେ ବାରମ୍ବାର ବ୍ଲାକମେଲିଂ କରି ଧମକ ଦେବାରୁ ପୀଡ଼ିତା ଛତିଶଗଡ଼ କବିରନଗର ଥାନାରେ ଅଭିଯୋଗ କରିଥିଲେ । ହେଲେ ଅପରାଧର ଘଟଣାସ୍ଥଳ ଭୁବନେଶ୍ୱରରେ ହୋଇଥିବାରୁ ସେଠାକାର ପୁଲିସ କମିଶନରେଟ ପୁଲିସକୁ ଜଣାଇ କାର୍ଯ୍ୟନୁଷ୍ଠାନ ନେବାକୁ କହିଥିଲେ । ଏହାପରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।