ବ୍ୟୁରୋ : ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ବୁଧବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । କଂଗ୍ରେସର ରାଜେନ୍ଦ୍ର ବହୁଗୁଣା ହଲ୍ଦ୍ୱାନୀରେ ଓଭରହେଡ୍ ଟ୍ୟାଙ୍କ ଉପରେ ଚଢ଼ି ନିଜକୁ ଗୁଳି ମାରି ଦେଇଛନ୍ତି । ନୈନିତାଲର ଏସ୍ଏସ୍ପି ପଙ୍କଜ ଭଟ୍ଟ କହିଛନ୍ତି, ବହୁଗୁଣାଙ୍କ ବିରୋଧରେ ୩ ଦିନ ପୂର୍ବରୁ ତାଙ୍କ ବୋହୂ ଅଭିଯୋଗ କରିଥିଲେ । ବହୁଗୁଣା ନିଜ ନାତୁଣୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା, ଯାହା ପରେ ପୋଲିସ ମାମଲା ରୁଜୁ କରିଥିଲା ।
ଆଉ ଏହି ଘଟଣା ବହୁଗୁଣାଙ୍କୁ ବହୁତ ଆଘାତ ଦେଇଥିଲା । ବହୁଗୁଣା ନିଜେ ୧୧୨ ନମ୍ବରରେ ପୋଲିସକୁ କଲ୍ କରି କହିଥିଲେ କି, ସେ ଟ୍ୟାଙ୍କ ଉପରେ ଚଢ଼ି ଆତ୍ମହତ୍ୟା କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲାଉଡ୍ସ୍ପୀକର ସାହାଯ୍ୟରେ ବହୁଗୁଣାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ହେଲେ ସେ କୌଣସି ବି ସ୍ଥିତିରେ ପୋଲିସ କଥାକୁ ମାନି ନ ଥିଲେ । ଏହି ସମୟରେ ପୂର୍ବ ମନ୍ତ୍ରୀ ବାରମ୍ବାର ପୋଲିସକୁ କହୁଥିଲେ କି, ସେ ନିର୍ଦ୍ଦୋଷ ଅଛନ୍ତି । ପରେ ବହୁଗୁଣା ନିଜ ଛାତିକୁ ଗୁଳି ମାରିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଏହି ପୂରା ମାମଲାରେ ରାଜେନ୍ଦ୍ର ବହୁଗୁଣାଙ୍କ ବୋହୂ, ସମୁଦି ଏବଂ ପଡ଼ୋଶୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଧାରାରେ ମାମଲା ରୁଜୁ କରିଛି । ବହୁଗୁଣାଙ୍କ ପୁଅ ଅଜୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ।