ନୂଆଦିଲ୍ଲୀ: ଲଣ୍ଡନରୁ କିଛି ଦୂରରେ ଅବସ୍ଥିତ ହ୍ୟାମରସ୍ମିଥ୍ । ନାମକ ଏକ ଛୋଟ ଗାଁ । ଯେଉଁ ସମୟର କଥା କୁହାଯାଉଛି ସେତେବେଳେ ଏହି ଗାଁକୁ ବିଦ୍ୟୁତ୍ ଆସିନଥିଲା । ରାତି ହେବା ପରେ ଭୌତିକ ପରିବେଶର ସମ୍ମୁଖୀନ ହେଉଥିଲେ ହ୍ୟାମରସ୍ମିଥର ବାସିନ୍ଦାମାନେ ।
୧୮୦୩ ମସିହା କଥା । ଗାଁରେ ହଠାତ୍ ଆରମ୍ଭ ହୋଇଗଲା ‘ଭୂତ’ ଉପଦ୍ରବ । ରାତି ହେଲା ମାତ୍ରେ କେହି ଏକୁଟିଆ ବାହାରିବାକୁ ସାହସ କଲେ ନାହିଁ । କିନ୍ତୁ କେତେଦିନ ଅବା ଆଉ ଗୃହବନ୍ଦୀ ହୋଇ ରହିବେ । ଗ୍ରାମବାସୀମାନେ ଧୀରେ ଧୀର ବାହାରକୁ ବାହାରିବା ଆରମ୍ଭ କଲେ। କିନ୍ତୁ କେହି ନା କେହି ଭୂତ ହାବୁଡ଼ରେ ପଡ଼ିଲେ । ଭୂତ ହାବୁଡ଼ରେ ପଡ଼ିଥିବା ଲୋକେ କହୁଥିଲେ ଆପାଦମସ୍ତକ ଧଳା ଚାଦରରେ ଶରୀର ଆବୃତ୍ତ ଥିଲା ସେହି ଭୌତିକ ଅବୟବର । ଆଉ କେତେଜଣ କହୁଥିଲେ ଭୂତ ପଶୁ ଚମଡ଼ା ପିନ୍ଧିଥିଲା, ଆଖି ଦୁଇଟି ନିଆଁଗୁଳା ଭଳି ଦେଖାଯାଉଥିଲା । ଗାଁରେ ଏହି ଖବର ପବନ ବେଗରେ ଖେଳାଇ ହୋଇଯାଇଥିଲା ଯେ ଜଣେ ଗ୍ରାମବାସୀଙ୍କ ଅପଘାତ ମୃତ୍ୟୁ ହୋଇଥିବାରୁ ତା’ର ଆତ୍ମା ଭୂତ ହୋଇ ଡରାଉଛି ।
ଗ୍ରାମବାସୀମାନେ ସେହି ଭୂତକୁ ଧରିବା ପାଇଁ ଅସ୍ତ୍ରଶସ୍ତ୍ର ନେଇ ପହରା ଦେବାକୁ ଲାଗିଲେ । କେହି କେହି କହୁଥିଲେ ଭୂତ କାଳେ ଏକୁଟିଆ ଲୋକ ପାଇ ମାଡ଼ି ବସୁଥିଲା । ଜଣେ ଗର୍ଭବତୀ ମହିଳା ଏତେମାତ୍ରାରେ ଭୟଭୀତ ହୋଇଯାଇଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରାତିରେ ପହରା ଦେଉଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଦିନେ ରାତିରେ ସେହି ଭୂତକୁ ଦେଖିବାକୁ ପାଇଲେ । ଦେଖିବା ମାତ୍ରେ ସେହି ଲୋକଟି ଭୂତକୁ ମାରିବା ପାଇଁ ତା’ ପଛରେ ଧାଇଁଲେ । କିନ୍ତୁ ଭୂତ ସେତେବେଳକୁ ନିଜର ବସ୍ତ୍ରଟିକୁ ଫିଙ୍ଗିଦେଇ କେଉଁଆଡେ ଅଦୃଶ୍ୟ ହୋଇଗଲା । ସେହି ବସ୍ତ୍ରଟିକୁ ଦେଖିବା ପରେ କାହାକୁ ଆଉ ବୁଝିବାକୁ ବାକି ନଥିଲା ଯେ ଭୂତ ନାଁରେ ଏସବୁ ଜଣେ ମଣିଷ ହିଁ କରୁଛି । ଆରମ୍ଭ ହୋଇଗଲା ଭୂତରୂପୀ ମଣିଷର ସନ୍ଧାନ । ଇତିମଧ୍ୟରେ ଭୂତ ଧରିବାରେ ଅନେକ ଦିନ ବିତିଯାଇଥିଲା । ତଥାପି ହ୍ୟାମରସ୍ମିଥ୍ର ବାସିନ୍ଦାମାନଙ୍କ ମନରୁ ଆତଙ୍କ ଦୂରେଇ ନଥିଲା ।
୧୮୦୪ ମସିହା । ଫ୍ରାନ୍ସିସ ସ୍ମିଥ୍ ନାମକ ହ୍ୟାମରସ୍ମିଥର ଜଣେ ବାସିନ୍ଦା ଦିନେ ରାତି ୧୧ଟା ବେଳକୁ ହଠାତ୍ ଦେଖିବାକୁ ପାଇଲେ ଏକ ଧଳା ଅବୟବ ଚାଲି ଚାଲି ଆସୁଛି । ହାତ ପାଖରେ ଥିବା ସଟ୍ଗନ ଲକ୍ଷ୍ୟ କରି ଭୂତକୁ ନିଜ ପରିଚୟ ଦେବାକୁ କହିଲେ ଫ୍ରାନ୍ସିସ । କିନ୍ତୁ ଧଳା ପୋଷାକ ପିନ୍ଧିଥିବା ସେହି ଅବୟବ କୌଣସି ଉତ୍ତର ନ ଦେବାରୁ ଗୁଳି ଚଳାଇଦେଲେ ଫ୍ରାନ୍ସିସ୍ । ପରେ ଜଣାପଡ଼ିଲା ଫ୍ରାନ୍ସିସ ଯାହାକୁ ଭୂତ ଭାବି ଗୁଳି କରିଥିଲେ ସେ ପ୍ରକୃତରେ ଥିଲେ ଜଣେ ସାଧାରଣ ଲୋକ । ନାଁ ଥିଲା ଟମାସ ମିଲଉଡ୍ । ପେସାରେ ସେ ଥିଲେ ରାଜମିସ୍ତ୍ରି । କାର୍ଯ୍ୟସୂତ୍ରରେ ସେ ହ୍ୟାମରସ୍ମିଥରୁ ବାହାରେ ରହୁଥିଲେ ।
ଏହା ବି ଜାଣିବାକୁ ମିଳିଥିଲା ଟମାସ ମିଲଉଡ ହ୍ୟାମରସ୍ମିଥରେ ରହୁଥିବା ତାଙ୍କ ବାପା, ମାଙ୍କୁ ଦେଖା କରିବା ପାଇଁ ସେଦିନ ରାତିରେ ଫେରୁଥିଲେ । ସେ ପିନ୍ଧିଥିବା ପୋଷାକ ଏବଂ ଜୋତା ସଂପୂର୍ଣ୍ଣ ଧଳା ଥିଲା । ଅନ୍ଧାର ରାତିରେ ତାଙ୍କର ଧଳା ପୋଷାକ ଦେଖି ତାଙ୍କୁ ଭୂତ ଭାବିଥିଲେ ଫ୍ରାନ୍ସିସ । ତେଣୁ ଗୁଳି ଚଳାଇ ଦେଇଥିଲେ । ବିନା ଦୋଷରେ ପ୍ରାଣ ହରାଇଥିଲେ ଟମାସ୍ ମିଲଉଡ୍ । ଭୂତ ଧରିବାକୁ ଯାଇ ଫ୍ରାନ୍ସିସ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗିଲେ ବି ଅସଲ ଭୂତର ଦୌରାତ୍ମ୍ୟ କମିନଥିଲା କି ତା’ର ସନ୍ଧାନ ବି ମିଳୁନଥିଲା । ଭୂତ ଭାବି ଟମାସ୍ ମିଲଉଡକୁ ଗୁଳି କରି ହତ୍ୟା କରାଯିବାର ମାମଲା ଯେତେବେଳେ ହ୍ୟାମରସ୍ମିଥରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା ଠିକ୍ ସେହି ସମୟରେ ଜନ୍ ଗ୍ରାହମ ନାମକ ଜଣେ ମୋଚି ସିଧା ଅଦାଲତରେ ହାଜର ହୋଇଥିଲା । ବିଚାରକଙ୍କୁ ଗ୍ରାହମ ଜଣାଇଥିଲା ତାର ଜଣେ ସହଯୋଗୀ ନିଜ ସନ୍ତାନମାନଙ୍କୁ ପ୍ରତିଦିନ ଭୂତ ଗଳ୍ପ ଶୁଣାଇ ଭୟ ଦେଖାଉଥିଲା । ସେହି ସହଯୋଗୀଙ୍କୁ ଭୟ ଦେଖାଇବା ପାଇଁ ଗ୍ରାହମ ହିଁ ଧଳା ପୋଷାକ ପିନ୍ଧି ଭୂତ ବେଶରେ ଘୂରି ବୁଲୁଥିଲେ ସାରା ହାମରସ୍ମିଥରେ । କିନ୍ତୁ ଅଦାଲତ ଗ୍ରାହମଙ୍କ କଥାକୁ ଧ୍ୟାନ ଦେଇନଥିଲେ । ଭୂତ ଧରାପଡ଼ିନଥିଲା ସତ । କିନ୍ତୁ ହ୍ୟାମରସ୍ମିଥରେ ଭୂତର ଦୌରାତ୍ମ୍ୟ ଟିକିଏ ବି କମିନଥିଲା । ବରଂ ହ୍ୟାମରସ୍ମିଥର ବାସିନ୍ଦାମାନେ ପୂର୍ବ ତୁଳନାରେ ଆହୁରି ଅଧିକ ଭୟଭୀତ ହୋଇଯାଇଥିଲେ ।
ଯଦିଓ ସମୟ କ୍ରମେ ପରିସ୍ଥିତିରେ ସୁଧାର ଆସିଥିଲା, ତଥାପି ଲୋକମାନେ କହୁଥିଲେ ୫୦ ବର୍ଷରେ ଥରେ ସେହି ଭୂତ ହାମରସ୍ମିଥକୁ ଫେରିଆସିବ । ଆଜି ବି ହ୍ୟାମରସ୍ମିଥ୍ ବାସିନ୍ଦାମାନେ ଏକଥା ବିଶ୍ୱାସ କରନ୍ତି ଯେ ପ୍ରତି ୫୦ ବର୍ଷରେ ଥରେ ଏହି ଗାଁକୁ ଭୂତ ଫେରିଆସେ ଓ ଲୋକଙ୍କୁ ଡରାଇଥାଏ।